ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ କଥା ଶୁଣି ବିରୋଧୀଙ୍କ ନିଦ ଭାଙ୍ଗିଯାଇଛି

ନୀଳଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର

ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଫେଲ୍

ଭୁବନେଶ୍ବର, ୨୮/୦୫: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନ ସଭା କ୍ଷେତ୍ରରେ ଧୂଅଁଧାର ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ସେ ବିଜେପିକୁ ତୀବ୍ର ଆକ୍ରମଣ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ମୁଖ୍ୟମନ୍ତ୍ରୀ ମୋତେ କାମର ହିସାବ ଦେବା ପାଇଁ ଆପଣଙ୍କ ପାଖକୁ ପଠାଇଛନ୍ତି । ପଞ୍ଚଲିଙ୍ଗେଶ୍ବର ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରି ନୀଳଗିରି ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଛନ୍ତି ।

ଜୁନ ୯ ତାରିଖରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ କଥା ଶୁଣି ବିରୋଧୀଙ୍କର ନିଦ ଭାଙ୍ଗିଯାଇଛି । ସେମାନେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଆଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି । ଆପଣମାନେ ସେମାନଙ୍କ ଏହି ଔଦ୍ଧତ୍ୟର ଉଚିତ ଜବାବ ଦେବେ ବୋଲି ଶ୍ରୀ ପାଣ୍ଡିଆନ ଆଶାବ୍ୟକ୍ତ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନୀଳଗିରି ଅଞ୍ଚଳରେ ଆମର ଜନଜାତି ଭାଇଭଉଣୀ ମାନେ ବହୁ ସଂଖ୍ୟାରେ ବାସ କରନ୍ତି । ଆପଣମାନଙ୍କର କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଆଜି ପର୍ଯ୍ୟନ୍ତ କେହି ଏ ବିଷୟରେ ଚିନ୍ତା କରୁ ନଥିବା ବେଳେ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ନେଇଛନ୍ତି । Speical Development Council ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯାଇନାହିଁ, ଯାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କ ପାଇଁ ଓଡିଶାରେ କରିଛନ୍ତି ।

ରାଜ୍ୟ ସରକାରଙ୍କର ଲାଭ ଯୋଜନା ସଂପର୍କରେ ଆଲୋଚନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଆପଣମାନେ ଠିକ୍‌ ଦାମ୍‌ ପାଇବେ, ଆପଣଙ୍କୁ କେହି ଠକି ପାରିବେ ନାହିଁ । କାରଣ ଏହା ନବୀନ ସରକାର।

ଦରଦାମ ପରିସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ ଦାୟିତ୍ବ। ଡାଲି ଦର କମିଲା କି ? ତେଲ ଦର କମିଲା କି ? LPG ଦର କମିଲା କି ବୋଲି ଶ୍ରୀ ପାଣ୍ଡିଆନ ଜନତାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍‌ ମାରିଛି ।

ବେକାରୀ ସମସ୍ୟା ଉପରେ ଆଲୋକପାତ କରି ସେ କହିଲେ ଯେ କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଦେବେ । ଦଶ ବର୍ଷରେ କୋଡିଏ କୋଟି । ଓଡିଶା ଭାଗ ପଡିଥାନ୍ତା ୮୦ ଲକ୍ଷ । ବାଲେଶ୍ବର ଭାଗ ପଡିଥାନ୍ତା ୬ ଲକ୍ଷ । ନୀଳଗିରି ଭାଗ ପଡିଥାନ୍ତା ୧ ଲକ୍ଷ । କେନ୍ଦ୍ର ସରକାରଙ୍କ ଚାକିରୀ ନୀଳଗିରିରୁ କିଏ ପାଇଲେ କି ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଯଦି ହଜାର ଲୋକ ନୀଳଗିରିରୁ ପାଇଥିବେ, ତେବେ ମୁଁ ଚାକିରୀ ଛାଡିଦେବି ବୋଲି ସେ କହିଥିଲେ । ବୁଢାବୁଢୀଙ୍କ ଭତ୍ତା ବିଷୟରେ ଆଲୋଚନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ୩୦୦ ଟଙ୍କା ଦେଉଥିବା ବେଳେ, ରାଜ୍ୟ ଦେଉଛି ୧୦୦୦ ଟଙ୍କା । ଏହା ହେଉଛି ନବୀନ ଇଞ୍ଜିନ ।

ତେଣୁ ନିର୍ବାଚନ ହେଲେ ଆସୁଛନ୍ତି, ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ । ସେମାନେ କଥା କଥାରେ କାନ୍ଦି ପକାଇବେ । କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବ ନାହିଁ।

ବାଲେଶ୍ବର ସାଂସଦଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ବାଲେଶ୍ବର ସାଂସଦ ୧୦ ବର୍ଷ ସାଂସଦ ରହିଲେ, କେନ୍ଦ୍ରମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। Central University ହେଉ, ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ । ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ । ସେ ଲୋକଙ୍କର ସୁଖଦୁଃଖ ଠାରୁ ଦୂରରେ ଥିଲେ । କିନ୍ତୁ ବର୍ତ୍ତମାନ ବିଜୁ ଜନତା ଦଳର ନୀଳଗିରି ବିଧାନସଭା ପ୍ରାର୍ଥୀ ସୁକାନ୍ତ ବାବୁ ବିଜେପି ଦଳରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସି ଏ ଅଞ୍ଚଳର ଲୋକଙ୍କ ପାଇଁ କାମ କରନ୍ତି ।

ଶେଷରେ ଶ୍ରୀ ପାଣ୍ଡିଆନ ଜୁନ ପହିଲା ଦିନ ବହୁ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସି ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।