ମୋ ଅସମ୍ମାନର ଜବାବ ଦେବେ ଓଡିଶାବାସୀ: ନବୀନ

ମୁଖ୍ୟମନ୍ତ୍ରୀ ନିଜ ପ୍ରତି ହେଉଥିବା ଅସମ୍ମାନକୁ ନେଇ ଆଜି ମୁହଁ ଖୋଲିଛନ୍ତି।

ଶେଷ ଯାଏଁ ଓଡିଶାବାସୀଙ୍କ ସାଥିରେ ରହିବି

ଭୁବନେଶ୍ବର, ୨୯/୦୫: ସାଢେ ଚାରି କୋଟି ଓଡିଶାବାସୀ ମୋ ପରିବାର। ବନ୍ୟା, ବାତ୍ୟା, କୋଭିଡ ସବୁବେଳେ ଓଡ଼ିଶାବାସୀଙ୍କ ସାଥିରେ ଅଛି। ଓଡିଶାବାସୀଙ୍କୁ ମୋ ନିଜ ପରିବାର ଭାବି ସେବା କରି ଆସିଛି। ଶେଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସାଥିରେ ଛିଡା ହୋଇ ରହିଥିବି। ମିଶନ ଶକ୍ତି ମାଆଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି। ଯୁବପିଢ଼ି ଆତ୍ମବିଶ୍ବାସର ସହ ଆଗକୁ ବଢୁଛନ୍ତି। ଯୁବଶକ୍ତି ହିଁ ଓଡିଶାକୁ ଆଗକୁ ନେବେ ଓ ଦେଶର ନମ୍ବର ୱାନ ରାଜ୍ୟ କରିବେ।

ଦୁର୍ଭାଗ୍ୟର କଥା ବାହାରର ନେତା ମାନେ ଓଡ଼ିଶା ଆସି ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି, କଟୁ କଥା କହୁଛନ୍ତି। ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି। ଆପଣମାନେ ଭଲ ଭାବରେ ଜାଣିଛନ୍ତି ମୁଁ କେବେ କାହାକୁ ଅସମ୍ମାନ କରେ ନାହିଁ ଓ କଟୁ କଥା କୁହେ ନାହିଁ। ବିଶେଷକରି ମୋ ମା’ ମାନେ ଓ ଯୁବବର୍ଗମାନେ ଆସନ୍ତା ୧ ତାରିଖରେ ଭୋଟ୍ ମାଧ୍ୟମରେ ଏହାର ଉଚିତ୍ ଜବାବ ଦେବେ।

ନିର୍ବାଚନ ସମୟରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନକୁ ଟାର୍ଗେଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସୁଥିବା ବିଜେପିର ଷ୍ଟାର କ୍ୟାମ୍ପେନର ତଥା ରାଜ୍ୟ ବାହାର ନେତା ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ଅଶାଳୀନ ଭାଷା ପ୍ରୟୋଗ କରି ଅସମ୍ମାନ କରୁଛନ୍ତି। ଏହାକୁ ନେଇ ରାଜ୍ୟର ଶାସକ ଦଳ ବିଜେପିକୁ ଟାର୍ଗେଟ କରିବା ସହ ଏହି ଘଟଣାକୁ ଦୃଢ ନିନ୍ଦା କରୁଛନ୍ତି। ଆଜି ଏହାକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ଏହି ବିଷୟରେ ଅସନ୍ତୋଷ ଜାହିର କରି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଓ ନିଜ ପ୍ରତି ହେଉଥିବା ଅସମ୍ମାନର ଜବାବ ଓଡିଶାବାସୀ ଦେବେ ବୋଲି କହିଛନ୍ତି।