କୁଟେ-ଆଶିଷଙ୍କ ସପକ୍ଷରେ ବାହାରିଲେ ପାଣ୍ଡିଆନ

ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ଅଫିସରଙ୍କ ନିଲମ୍ବନ ଦୁର୍ଭାଗ୍ୟଜନକ

ଭୁବନେଶ୍ବର,୨୯/୦୫: ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡିଏସ୍ କୁଟେଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର ନିର୍ଦ୍ଦେଶ ଦେବା ପରେ ପାଣ୍ଡିଆନ୍ ଏହି ବୟାନ ଦେଇଛନ୍ତି। ସେହିପରି ଡାକ୍ତରୀ ଛୁଟିରେ ଥିବା ଅନ୍ୟ ଜଣେ ଆଇପିଏସ୍ ଅଧିକାରୀ ଆଶିଷ ସିଂହଙ୍କୁ ଗୁରୁବାର ସୁଦ୍ଧା ମେଡିକାଲ ବୋର୍ଡ ସମ୍ମୁଖରେ ହାଜର ହେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର ଏହି ଦୁଇ ଆଇପିଏସ୍ ଅଧିକାରୀଙ୍କ ଉପରେ ନିର୍ବାଚନ ଆୟୋଗର କାର୍ଯ୍ୟନୁଷ୍ଠାନକୁ ଦୃଢ ନିନ୍ଦା କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜୁ ଜନତା ଦଳଠାରୁ ଭାରତୀୟ ଜନତା ପାର୍ଟି ପରାଜୟ ହେବାକୁ ଅତି ସହଜରେ ଗ୍ରହଣ କରିପାରୁନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ଏହି ଦୁଇ ଅଧିକାରୀ ଓଡ଼ିଶାର ଉତ୍କୃଷ୍ଟ ଅଫିସର। ଓଡ଼ିଶାରେ ନକ୍ସଲ ଆତଙ୍କକୁ ହ୍ରାସ କରିଥିବାରୁ ସେ ଆଇପିଏସ୍ ଅଧିକାରୀ ଡିଏସ୍ କୁଟେଙ୍କୁ ପ୍ରଶଂସା କରିଛନ୍ତି। ଯଦି ଓଡ଼ିଶାରେ ନକ୍ସଲବାଦର ଅନ୍ତ ଘଟିଛି, ତାହା ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ। ନିଜ ଜୀବନକୁ ବିପଦରେ ପକାଇ ସେ ନକ୍ସଲଙ୍କ ସହ ଲଢ଼ିଥିଲେ। ଗଜପତି ଜିଲ୍ଲାରେ ହେଉ ଅବା ନକ୍ସଲଙ୍କ ବିରୋଧରେ ଆଇଜି ଅପରେସନ ଭାବେ କାର୍ଯ୍ୟ କରିବା, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳ କେବେ ବି ଅଫିସରଙ୍କୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରିନାହାନ୍ତି। ୧ କୋଟି ସଦସ୍ୟ ଥିବା ବିଜେଡି ବହୁତ ଶକ୍ତିଶାଳୀ। ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ ପାଇଁ ହୋଇଛି। ବିଜେପି ନେତୃତ୍ୱ ରାଜନୈତିକ ଦୃଷ୍ଟିରୁ ଯାହା ଚାହୁଁଛନ୍ତି ତାହା ହେଉଛି।