ହସି ହସି ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଲେ ନବୀନ

ଆଜି ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥାକୁ ନେଇ ତଦନ୍ତ କରିବା ପାଇଁ କମିଟି ଗଠନ କରିବେ ବୋଲି କହିଥିଲେ।

ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯/୦୫: ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ କହିବା ପରେ ଅତି ସରଳ ଓ ଥଣ୍ଡା ମିଜାଜରେ ହସି ହସି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ମଧ୍ୟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି ଏବଂ ତଦନ୍ତ କରିବା କଥା କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋର ଶୁଭ ଚିନ୍ତକ ତାହାଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍। ମୋ ସ୍ବାସ୍ଥ୍ୟକୁ ନେଇ ଗତ କିଛି ବର୍ଷ ହେବ ରାଜ୍ୟ ବିଜେପି ଓ କେନ୍ଦ୍ରରେ ମଧ୍ୟ ଗୁଜବ ପ୍ରଚାର ହେଉଛି। ଗତ ଏକ ମାସ ଧରି ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି। ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ। ଯଦି ପ୍ରଧାନମନ୍ତ୍ରୀ ଓଡ଼ିଶାର ଭଲ ଚାହୁଁଛନ୍ତି ତାହାଲେ କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ। ଏହା ରାଜ୍ୟ ପାଇଁ ବହୁତ ଭଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।