ଯଶୀପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଯଶୀପୁରରେ ଜନସମାବେଶକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ।

‘ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅଗାଢ ଭଲପାଇବା ଅଛି’

ଯଶୀପୁର, ୨୯/୦୫: ଯଶୀପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଜନ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏମିତି ବହୁତ ନେତା ଅଛନ୍ତି, ଯେଉଁମାନେ ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ସେମାନଙ୍କର ମନେପଡ଼େ, ଏବଂ ସେମାନେ ଆସିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି। ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ବିଜୁ ଜନତା ଦଳ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ। ଯଶୀପୁର ନିର୍ବାଚନ ମଣ୍ଡଳୀରେ ଖଇରିବନ୍ଧନ ଜଳସେଚନ ପ୍ରକଳ୍ପ ପାଇଁ ୩୩୭.୫୦ କୋଟି ଟଙ୍କା, ଶୁକ୍ରୁଳିରେ ଆଡ଼ିବନ୍ଧ ପାଇଁ ୧୭୦ କୋଟି, ମା କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରିକରଣ ପାଇଁ ୮.୪୦ କୋଟି ଟଙ୍କା, କୀଚକେଶ୍ୱରୀ ମନ୍ଦିର ମ୍ୟୁଜିୟମ୍‍ ପାଇଁ ୧.୩୦ କୋଟି ଟଙ୍କା, କୁଡୁମୀ କମ୍ୟୁନିଟି ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ରରୁଁଆ କୁଡୁମୀ ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି, ପ୍ରାୟ ସବୁ ସମାଜର କମ୍ୟୁନିଟି ସେଣ୍ଟର ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ଯଶୀପୁରରେ ଆମ ବସଷ୍ଟାଣ୍ଡ ପାଇଁ ୧୪.୫୦ କୋଟି ଟଙ୍କା, ମା’ମାନେ ବସ୍‍ ପାଇଁ ଖରାବର୍ଷାରେ ଆଉ ଠିଆ ହେବେନାହିଁ, ରରୁଁଆ-ଫଗୁ ରାସ୍ତା ପାଇଁ ୫୦ କୋଟି ଟଙ୍କା, ସୁଲେଇପାଟ-ଝାଲଡୁଙ୍ଗୁରୀ ରାସ୍ତା ପାଇଁ ୩୫ କୋଟି, ଯଶୀପୁର-ରରୁଁଆ ରାସ୍ତା ପାଇଁ ୩୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି। ଯଶୀପୁର, ରରୁଁଆ ଓ ଶୁକ୍ରୁଳୀ ବ୍ଲକରେ ଘରେ ଘରେ ପିଇବା ପାଣି ଯୋଗାଇ ଦେବା ପାଇଁ ୬୫୦ କୋଟି ଟଙ୍କା, ୧୩ ହଜାର ୫୦୦ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ଓ ଅଞ୍ଚଳର ୮ ଟି ସ୍କୁଲକୁ ୫-ଟିରେ ରୂପାନ୍ତରଣ କରିଛନ୍ତି। ଆଦିବାସୀ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସବୁଠାରୁ ଭଲ ଜାଗାରେ ରଖିଛନ୍ତି। ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି। ଆଦିବାସୀ କଳା, ସଂସ୍କୃତି, ପୂଜାସ୍ଥଳୀ ଓ ଜାଗିରାର ସୁରକ୍ଷା ଲାଗି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଆଦିବାସୀମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୋଲିସ କେଶ୍‍ ରଦ୍ଦ କରି ରଦ୍ଦ କରିଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଲାଭଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ଯଥା – ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି, ଠକାମିରେ ସେମାନେ ଆଉ ପଡ଼ୁନାହାନ୍ତି। ମା’ କୀଚକେଶ୍ୱରୀ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।