ରାତି ପାହିଲେ ଭୋଟ୍

ଆସନ୍ତା କାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନିଶ୍ଚିତ

ଭୁବନେଶ୍ବର, ୩୧/୦୫: ଜୁନ ୧ ତାରିଖ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟ ନିର୍ବାଚନରେ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜ୍ୟର ୧ କୋଟି ପାଖାପାଖି ଭୋଟର। ଶେଷ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୫ ଲକ୍ଷ ୮୮ ହଜାର ପୁରୁଷ ଓ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ରହିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଶେଷ ପର୍ଯ୍ୟାୟ ମତଦାନରେ ୧୦,୮୮୨ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ୧୪୦୦ରୁ ଅଧିକ ସଖୀ ବୁଥ୍ ରହିଛି। ସେହିପରି ୨୦ ପ୍ରତିଶତ ବୁଥକୁ ଆଦର୍ଶ ବୁଥ୍ ଭାବେ ନିର୍ଦ୍ଧାରଣ କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ଅଧିକ ଆଶଙ୍କା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୩୬ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ୧୨୬ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ମୁତୟନ ହେବେ। ସେହିପରି ମୟୂରଭଞ୍ଜର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଧାରା ୧୪୪ ଲାଗୁ ହେବ।ଏହା ବ୍ୟତୀତ ୨୫୫ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୮୪୩ଟି ଭ୍ରାମ୍ୟମାଣ ସ୍କ୍ବାଡ୍ ମୁତୟନ ହେବେ। ଇଭିଏମକୁ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ବୋଲି ବୋଲି ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଏହି ସୂଚନା ଦେଇ କହିଛନ୍ତି।