ପରିବର୍ତ୍ତନ ବନାମ ନବୀନ ଗ୍ୟାରେଣ୍ଟି; ଅନ୍ତିମ ମହାଲଢେଇ

ଆଜି ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର, ୦୧/୦୬: ଆଜି ଅନୁଷ୍ଠିତ ହେଉଛି ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ। ଜୁନ୍ ପହିଲାରେ ଶେଷ ହେଉଥିବା ଉଭୟ ଲୋକସଭା ଓ ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି ବିଶେଷ ନଜର।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ସହ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେଉଛି। ଲୋକସଭା ପାଇଁ ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଧାନସଭା ପାଇଁ ୩୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟରେ ମୋଟ ୯୯ ଲକ୍ଷ ୬୧ ହଜାର ଭୋଟର ରହିଥିବା ବେଳେ ୫୫ ଲକ୍ଷ ୮୮ ହଜାର ପୁରୁଷ ଓ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ରହିଛନ୍ତି।

ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଶେଷ ପର୍ଯ୍ୟାୟ ମତଦାନରେ ୧୦,୮୮୨ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ୧୪୦୦ରୁ ଅଧିକ ସଖୀ ବୁଥ୍ ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।

ସେହିପରି ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଅଂଶୁଘାତ ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ପ୍ରତି ବୁଥରେ ଆବଶ୍ୟକୀୟ ଔଷଧ, ଓଆରଏସ ଓ ପିଇବା ପାଣି ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ଧାରାକୁ ଦେଖିବାକୁ ଗଲେ, ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡ଼ି ଓଡିଶାରେ ବିଜୟ ବଜାୟ ରଖି ଆସିଛି। ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଅଧିଷ୍ଠିତ ହୋଇଛନ୍ତି। କିନ୍ତୁ ବିଜେଡି ଚଳିତ ନିର୍ବାଚନରେ ସବୁଠାରୁ କଠୋର ନିର୍ବାଚନୀ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ବିକାଶକୁ ନେଇ ବିରୋଧୀ ଓ ସାଧାରଣ ଜନତା ଘେରୁଥିବା ବେଳେ ଅଧିକାଂଶ ସ୍ଥାନରେ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ବି ପୂର୍ବ ପରି ଲୋକଙ୍କର ଅତୁଟ ରହିଛି।

ଅତୀତରେ ବାରମ୍ବାର ପ୍ରୟାସ ସତ୍ତ୍ୱେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବା ସହଜ ହୋଇ ପାରିନାହିଁ। କିନ୍ତୁ ଚଳିତ ଥର ବିଜେପି ପାଇଁ ସର୍ବୋତ୍ତମ ସୁଯୋଗ। ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠୁ ଅଧିକ ସମର୍ଥନ ମିଳିଛି, ଯାହା ଦଳର ସମ୍ଭାବନାକୁ ଆହୁରି ଉତ୍ସାହିତ କରିଛି। ଶାସକ ଦଳ ପ୍ରତି ରାଜ୍ୟରେ ଅସନ୍ତୋଷର ଭାବ ଦେଖାଦେଉଥିବାରୁ ବିଜେପିର ଆସନ ହାତେଇବା ଆଶାକୁ ଆହୁରି ବଢ଼ାଇ ଦେଇଛି।

ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅଟକି ରହିଥିବା କଂଗ୍ରେସ ଚଳିତ ବର୍ଷ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭିନ୍ନ ଭିନ୍ନ ରଣନୀତି ଆପଣାଇଛି। କଂଗ୍ରେସ ପାଇଁ ମଧ୍ୟ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଭୋଟରଙ୍କୁ ବିଶେଷ କରି ମହିଳା ଓ ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଇସ୍ତାହାର ଆଣିଛି। ଏବେ ଦେଖିବା ବାକି ରହିଲା, ଓଡ଼ିଶାରେ ଭୋଟର କେଉଁ ଆଡକୁ ଢଳୁଛନ୍ତି। ପରିବର୍ତ୍ତନ ପାଇଁ ନୂତନ ସରକାର ଆଣିବେ ନା ନବୀନ ଗ୍ୟାରେଣ୍ଟିରେ ଆସ୍ଥା ଭାଜନ ରଖି ଓଡ଼ିଶାରେ ବିଜେଡ଼ି ସରକାର ଗଠନ କରିବେ।