ଜୁନ ୪ ଯାଏ ହିଟ୍-ୱେଭ ଆଲର୍ଟ

ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।

ଉପକୂଳ ଓଡ଼ିଶାରେ ପ୍ରବଳ ଗରମ

ଭୁବନେଶ୍ବର, ୦୨/୦୬: ଉପକୂଳ ଓଡ଼ିଶାରେ ଲାଗି ରହିବ ଗରମ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ଓ ଆର୍ଦ୍ରତା ଲାଗି ରହିବ। ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି। ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।

ହିଟ୍-ୱେଭକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କଳାହାଣ୍ଡି, ନୂଆପଡ଼ା, ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି ଜୁନ୍ ୨ ଓ ୩ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ପ୍ରବେଶ ନେଇ କୌଣସି ପୂର୍ବାନୁମାନ ହୋଇନାହିଁ।

ଅନ୍ୟପକ୍ଷରେ ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ଫଳରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି।