ନବୀନ ଯୁଗର ଅବସାନ

ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନବୀନ ସରକାରଙ୍କ ଅନ୍ତ ଘଟିଛି।

ଇତିହାସ ରଚିବା ପୂର୍ବରୁ ଇତିହାସ ହୋଇଗଲେ ନବୀନ

ଭୁବନେଶ୍ବର, ୦୫/୦୬: ଦୀର୍ଘ ୨୭ ବର୍ଷର ଯାତ୍ରା। ଏ ଯାତ୍ରା ଏତେ ସହଜ ନଥିଲା। ୧୯୯୯ ମସିହାର ଡିବିରି ଆଲୁଅଠାରୁ ଆଜିର ଗାଁ ଗହଳିର ଷ୍ଟ୍ରିଟ ଲାଇଟ୍ ପର୍ଯ୍ୟନ୍ତ… ଏ ନୂଆ-ଓଡିଶାର ବିନ୍ଧାଣୀ ସେ। ୨୪ ବର୍ଷ ଧରି ଜନତାଙ୍କ ସେବାରେ ଉତ୍ସର୍ଗ କରିଥିଲେ ସେ। ସେ ଅଟଳ… ସେ ଅପରାଜେୟ.. ନା କେବେ ପରାଜୟର ସ୍ୱାଦ ଚାଖିଥିଲେ ନା କେବେ ତାଙ୍କୁ କେହି ପରାଜିତ କରି ପାରିବ ବୋଲି ଭାବିଥିଲେ।

ଆଜି ସେ ନବୀନ ଯୁଗର ଅବସାନ ଘଟିଛି। ୨୪ ବର୍ଷ ପରେ ନୂଆ ପରିବର୍ତ୍ତନ ଦେଖିଲା ଓଡିଶା। ହେଲେ, ଏହି ପରିବର୍ତ୍ତନ କେତେ ଗ୍ରହଣୀୟ? ଗୋଟିଏ ଦିନ ବିତିଗଲାଣି ନିର୍ବାଚନ ଫଳାଫଳକୁ। ଆଜି ବି ଲୋକେ ତାଙ୍କୁ ଝୁରି ହେଉଛନ୍ତି। ବିଜେଡ଼ି ସରକାରର ଏ ଅପରାଜୟ ଯେତିକି କଷ୍ଟ ଦେଉନାହିଁ, ନବୀନ ପଟ୍ଟନାୟକଙ୍କୁ ଆଉ ମୁଖ୍ୟମନ୍ତ୍ରୀ ପଦରେ ପାଇବେ ନାହିଁ। ତାକୁ ନେଇ ଦୁଃଖରେ ଓଡ଼ିଶାବାସୀ। ନବୀନ ତାଙ୍କ ୨୭ ବର୍ଷର ରାଜନୈତିକ ଯାତ୍ରାରେ ପ୍ରଥମ ଏଭଳି ବ୍ୟକ୍ତିତ୍ୱ ଯିଏ ହରି ବି ଲୋକଙ୍କ ମନରେ ଜିତି ଯାଇଛନ୍ତି।

ବିଜୟ ପରାଜୟ ପ୍ରକୃତିର ନିୟମ। କିନ୍ତୁ ନବୀନଙ୍କଠାରେ ଏସବୁ ଦେଖିବା ବୋଧେ ଓଡିଶାବାସୀ କେବେ ଭାବିନଥିଲେ। ଯେଉଁଥିପାଇଁ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ରହିଛି ତାଙ୍କରି ଚର୍ଚ୍ଚା। ଗାଁ ଗଳି ରାସ୍ତାଠାରୁ ସହର ଚାକଚକ୍ୟ ରାସ୍ତା ସବୁଠି ନବୀନଙ୍କ ଚର୍ଚ୍ଚା। ନବୀନ ପୁଣି ଆଉ ଥରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ କି! ସାଧାରଣ ନିର୍ବାଚନରେ ଏ ଶୋଚନୀୟ ପରାଜୟ ପରେ ଆଉ ତାଙ୍କ ମୁହଁରେ ସେ ମନଖୋଲା ହସ ଆଉ ଦେଖିବାକୁ ମିଳିନଥିଲା।

ଲୋକଙ୍କ ମନରେ ସେ ଜଣେ ବିରଳ ବ୍ୟକ୍ତିତ୍ୱ। କଥା କମ୍ କାମ ବେଶୀ। ବହୁ ଯୋଜନାର ଜନକ ସେ। ଓଡିଶାକୁ ଗୋଟିଏ ପରେ ଗୋଟିଏ ଯୋଜନା ଭେଟି ଦେଇଥିଲେ। କୃଷକମାନଙ୍କ ପାଇଁ କୃଷକ ସହାୟତା ଜୀବିକା ଓ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନା, ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ), ଗରିବଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବା ପାଇଁ ଆହାର ଯୋଜନା, ଆର୍ଥିକ ଅନଗ୍ରସର ବର୍ଗଙ୍କୁ ବିଜୁ ଆବାସ ଯୋଜନା, ବିନା ବାଧାରେ ଗମନାଗମନରେ ସୁବିଧା ଲକ୍ଷ୍ମୀ ବସ୍ ସେବା ଓ ମୋ ବସ୍ ସେବା, ରାଜଧାନୀରେ ଆଡଭାନ୍ସଡ ବସ୍ ଷ୍ଟପେଜ, କଗ୍ନିଜାଣ୍ଟ ଓ ଡେଲଏଟ ଭଳି ସୁଉଚ୍ଚ ଅଟ୍ଟାଳିକା ସାରା ରାଜ୍ୟରେ ଉନ୍ନତମାନର ରାସ୍ତା ନିର୍ମାଣ ଏବଂ ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତିକରଣ ପାଇଁ ମିଶନ ଶକ୍ତି ଓ ମିଶନ ଶକ୍ତି କାଫେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା। ପ୍ରତିଟି କ୍ଷେତ୍ରରେ ସେ ସାଜିଥିଲେ ବିନ୍ଧାଣୀ।

ଓଡ଼ିଶା ବାରମ୍ବାର ବିପର୍ଯ୍ୟୟର ସାମନା କରୁଥିବା ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସବୁ ଝଡ଼ର ସାମନା କରୁଥିଲେ ସେ। ଜାତୀୟ ଖେଳ ହକି ସହିତ ଓଡ଼ିଶାକୁ ମଧ୍ୟ ବିଶ୍ୱସ୍ତରୀୟ ପରିଚୟ ଦେଇଥିଲେ। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ କରି ଓଡ଼ିଆ ଭାଷାକୁ ନେଇ ବିଶ୍ୱରେ ପହଞ୍ଚାଇଥିଲେ। ଓଡ଼ିଶାକୁ ଏକ ଗରିବୀ ରାଜ୍ୟରୁ ଦେଶରେ ନମ୍ବର ୱାନରେ ପରିଣତ କରିଥିଲେ। ସାରା ବିଶ୍ୱକୁ ଭେଟି ଦେଇଥିଲେ ଏକ ନୂତନ ଓଡ଼ିଶା।

ରାଜନୈତିକ ଜୀବନରେ ଆଗକୁ ବଢ଼ିବା ପାଇଁ କେବେ କାହାକୁ ଆକ୍ଷେପ କରି କିଛି କୁହନ୍ତି ନାହିଁ କି କଟାକ୍ଷ କରନ୍ତି ନାହିଁ। ନବୀନଙ୍କ ଏହି କୋମଳ ଶକ୍ତି ତାଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ମଧ୍ୟ କଠୋର ଶବ୍ଦ, ତିକ୍ତତା ଏବଂ କଠୋରତାକୁ ତ୍ୟାଗ କରି ସମଗ୍ର ଭାରତବାସୀଙ୍କ ନିକଟରେ ନିଜକୁ ଆକର୍ଷିତ କରିଛି। ଦେଶର ଶୀର୍ଷ ନେତୃତ୍ୱଙ୍କଠାରୁ ଶବ୍ଦାଘାତ ପାଉଥିବା ନବୀନ ସାଧୁତା, ମର୍ଯ୍ୟାଦା ଏବଂ ଶାଳୀନତାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥିଲେ। ନା ଜନତାଙ୍କ ଆକ୍ରୋଶ ନା ରାଜନୈତିକ ଆକ୍ରୋଶ। ବିନା ଶତ୍ରୁତାରେ ଆଗେଇ ଚାଲିଥିଲେ ନବୀନ।

ହେଲେ, ୨୦୨୪ ନିର୍ବାଚନ କିନ୍ତୁ ସବୁକିଛି ଓଲଟ ପାଲଟ କରିଦେଲା। ସଫଳତାର ପାହାଚ ଅତିକ୍ରମ କରି ଚାଲିଥିବା ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିଲେ। କଣ୍ଟାବାଞ୍ଜି ଆସନରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬ ହଜାରରୁ ଅଧିକ ଭୋଟରେ ପରାଜିତ ହେଲେ। ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ନବୀନ ଶେଷରେ ହାରିଗଲେ। ନବୀନ ଖାଲି ଏତେ ସଂଖ୍ୟକ ଭୋଟ ବ୍ୟବଧାନରେ ହାରି ନାହାନ୍ତି। ବରଂ ବିଜେଡି ମଧ୍ୟ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଟଳି ଯାଇଛନ୍ତି। ମାଟି କାମୁଡି ତଳେ ପଡିଛନ୍ତି ବିଜେଡିର ସବୁ ହେଭି-ୱେଟ ନେତା।

କିନ୍ତୁ ଅପରାଜେୟ ନବୀନ ଦିନେ କହିଥିଲେ, ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ। ଯଦି ନିଜ ଲୋକଙ୍କୁ ଭଲ ପାଆନ୍ତି, ତେବେ ନିର୍ବାଚନ ଲଢ଼ିହେବ ନାହିଁ; ନିର୍ବାଚନରେ ପରିବର୍ତ୍ତନ ପାଇଁ ଲଢ଼େଇ କରାଯାଏ। ଯଦି ଲୋକଙ୍କ ପାଇଁ କାମ କରିବେ, ତେବେ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଭଳି ଲୋକଙ୍କ ହୃଦୟରେ ବଞ୍ଚି ରହିବେ।

ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସ୍ଥାନ ଅପୂରଣୀୟ। ଅଭାବୀ ରାଜ୍ୟରୁ ପ୍ରଭାବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ତାଙ୍କ ଅବଦାନ ଅତୁଳନୀୟ।