ବିଜୟ ପାଇଁ ସମ୍ବଲପୁରବାସୀଙ୍କୁ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

• ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇଙ୍କର ଅପାର କରୁଣା ଓ ଜନତାଙ୍କ ଆଶୀର୍ବାଦରୁ ଲୋକସଭା ନିର୍ବାଚିତ ହେବା ମୋର ସୌଭାଗ୍ୟ। • ସମ୍ବଲପୁର ହେଉଛି ସ୍ୱାଭିମାନ ମାଟି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ବଲପୁର ହେବ ବିକଶିତ।

ସମ୍ବଲପୁରର ମାନ ଓ ସମ୍ମାନକୁ ବଢାଇବା ସହ ବିକଶିତ କରିବା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୫/୦୬: ସମ୍ବଲପୁର ଲୋକସଭା ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ ବାର୍ତ୍ତା ଯୋଗେ ବହୁମାତ୍ରାରେ ଭୋଟ୍ ଦେଇ ଆଶୀର୍ବାଦ କରିଥିବାରୁ ଲୋକସଭା ଆସନର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇଙ୍କର ଅପାର କରୁଣାରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ସବୁ ଗୁରୁଜନ, ମା’ ଭଉଣୀ ଏବଂ ଦଦା ଭାଇ ମାନଙ୍କୁ ଶ୍ରଦ୍ଧା ଏବଂ ଆଶୀର୍ବାଦ୍ କାରଣରୁ ଲୋକସଭା ନିର୍ବାଚିତ ହେବାର ସୌଭାଗ୍ୟ ପାଇଛି । ଲୋକମାନେ ଜନପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ସେଥିପାଇଁ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ହେଉଛି ସ୍ୱାଭିମାନ ମାଟି । ସମ୍ବଲପୁରର ମାନ ସମ୍ମାନକୁ ବଢାଇବା ସହ ବିକଶିତ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଫଳ ନେତୃତ୍ୱରେ ସମ୍ବଲପୁର ବିକଶିତ ହେବ । ସମ୍ବଲପୁର ବିକଶିତ କରିବା କାମ ଆଗକୁ ବଢାଯିବ । ସେଥିପାଇଁ ସମ୍ବଲପୁରବାସୀଙ୍କ ନିରନ୍ତର ସହଯୋଗ କାମନା କରୁଛି । ଆମେ ସମସ୍ତେ ମିଲିମିଶି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁରକୁ ବିକଶିତ କରିବା ସହ ଓଡିଶା ଏବଂ ଭାରତକୁ ବିକଶିତ କରିବା । ସମସ୍ତଙ୍କର ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥ, ମା’ ସମଲେଇଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।