ସ୍ୱାସ୍ଥ୍ୟ ସେବାରେ ଅବହେଳା ସାମାଜିକ ଓ ବୈଧାନିକ ଅବହେଳା

ସ୍ୱାସ୍ଥ୍ୟ ସେବାରେ ଅବହେଳା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ମିଥ୍ୟା ଗୁଜବ ପ୍ରତି ସତର୍କ ରହିବାକୁ ଅନୁରୋଧ

ଭୁବନେଶ୍ବର, ୦୫/୦୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ଅନେକ ଅଭିଯୋଗ ସାମନାକୁ ଆସୁଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ମନମୋହନ କହିଛନ୍ତି।