ବଜ୍ରାଘାତରେ ୫ ମୃତ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୬/୦୬: ଆଜି ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ କପା କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ବଜ୍ରପାତରେ ମୃତ ମହିଳାଙ୍କ ଭିଣୋଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେହିପରି ବରଗଡ଼ ଜିଲ୍ଲାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ହେଉଥିବାରୁ ଦେବାନଡିହି ଗ୍ରାମର ୫ ଜଣ ବରଗଛ ତଳେ ଆଶ୍ରୟ ନେଇଥିଲେ। ହଠାତ୍ ବଜ୍ରପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏହା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।