ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନିର୍ବାଚନ ଆୟୋଗ, ନବନିର୍ବାଚିତ ସାଂସଦ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି।

ଚଳିତ ସରକାର ଯୋଗୁଁ ଦେଶ ସମୃଦ୍ଧି ପଥେ ଅଗ୍ରସର ହେଉଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୭/୦୬: ଆଜି ସଂସଦରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ସଙ୍ଗୀତ ଗାନ ପରେ ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଆରମ୍ଭ କରିଥିଲେ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସାଧାରଣ ନିର୍ବାଚନର ସଫଳ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କୁ ଅଭିନନ୍ଦନ ଜଣାଇବା ସହ ନବନିର୍ବାଚିତ ସମସ୍ତ ସାଂସଦ ଏବଂ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଓମ୍ ବିର୍ଲାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ସାଂସଦମାନଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରି କହିଥିଲେ ଯେ, ମୁଁ ଅଷ୍ଟାଦଶ ଲୋକସଭାର ସମସ୍ତ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଉଛି। ଆପଣମାନେ ସମସ୍ତେ ଦେଶର ଭୋଟରଙ୍କ ବିଶ୍ୱାସ ଜିତି ଏଠାକୁ ଆସିଛନ୍ତି। ଦେଶ ଓ ଲୋକଙ୍କ ସେବା କରିବାର ସୁଯୋଗ ଖୁବ୍ କମ୍ ଲୋକ ପାଇଥାନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ପ୍ରଥମେ ଦେଶର ଭାବନା ସହିତ ଆପଣଙ୍କ କର୍ତ୍ତବ୍ୟ ପୂରଣ କରିବେ ଏବଂ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ କରିବାର ମାଧ୍ୟମ ସାଜିବେ।

ଏହା ଥିଲା ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ। ଦେଶରେ ଚଳିତ ଥର ପ୍ରାୟ ୬୪ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ମତଦାନ କରିଥିଲେ। ଜମ୍ମୁ-କଶ୍ମୀରରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ମତଦାନର ରେକର୍ଡ ଭାଙ୍ଗିଛି। ଗତ ଚାରି ଦଶନ୍ଧି ଧରି କାଶ୍ମୀରରେ ଆନ୍ଦୋଳନ ଓ ଧର୍ମଘଟ ବୃଦ୍ଧି ପାଉଥିବା ହେତୁ ମତଦାନରେ ହ୍ରାସ ପରିଲକ୍ଷିତ ହେଉଥିଲା। ଭାରତର ଶତ୍ରୁମାନେ ଏହାକୁ ବୈଶ୍ୱିକ ମଞ୍ଚରେ କାଶ୍ମୀରବାସୀଙ୍କ ବିଚାରଧାରା ବୋଲି ପ୍ରଚାର କରିଥିଲେ। କିନ୍ତୁ ଏଥର କଶ୍ମୀରବାସୀ ଭୋଟ ଜରିଆରେ ଏହାର କଡ଼ା ଜବାବ ଦେଇଛନ୍ତି।

ଭାରତର ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଚଳିତ ନିର୍ବାଚନ ଐତିହାସିକ ମଧ୍ୟ। ସ୍ୱାଧୀନତାର ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୮ତମ ଲୋକସଭା ଗଠିତ ହେବା ଏବଂ ଏଥିରେ ସମ୍ବିଧାନ ଗ୍ରହଣର ୫୬ବର୍ଷ ପୂର୍ତ୍ତି ନିଶ୍ଚୟ ‘ଐତିହାସିକ’ ଅଟେ।

ଆଗାମୀ ଅଧିବେଶନରେ ସରକାର ଚଳିତ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟ୍ ସରକାରଙ୍କ ସୁଦୂରପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ଦସ୍ତାବିଜ ହେବ। ବଡ଼ ବଡ଼ ଅର୍ଥନୈତିକ ଓ ସାମାଜିକ ନିଷ୍ପତି ସହିତ ଅନେକ ଐତିହାସିକ ପଦକ୍ଷେପ ମଧ୍ୟ ଏହି ବଜେଟରେ ଦେଖିବାକୁ ମିଳିବ। ଚଳିତ ସରକାର ଯୋଗୁଁ ଦେଶରେ ଆର୍ଥିକ ଅଭିବୃଦ୍ଧି ଘଟିଛି। ଖୁବ ଶୀଘ୍ର ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି।

ବିଶ୍ୱବନ୍ଧୁ ହିସାବରେ ଭାରତ ଅନେକ ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି। ଆଜି ଭାରତ ବିଶ୍ୱର ସମସ୍ୟାର ସମାଧାନ ପାଇଁ ଜଣାଶୁଣା। ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଅନେକ ପୁରୁଣା ବିବାଦର ସମାଧାନ ହୋଇଛି, ଅନେକ ଚୁକ୍ତି ହୋଇଛି। ଉତ୍ତର-ପୂର୍ବାଞ୍ଚଳରେ ସବୁ ପ୍ରକାର ଯୋଗାଯୋଗ ବୃଦ୍ଧି କରାଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ରୋଜଗାର ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନିଆଯାଉଛି।

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକତାର ଆବଶ୍ୟକତା ରହିଛି। ସଂଘର୍ଷ ମଧ୍ୟରେ ଦେଶ ଯେପରି ସର୍ବୋତ୍ତମ ସ୍ଥିତିରେ ରହିବ ତାହା ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ବାହିନୀରେ ନିରନ୍ତର ସଂସ୍କାରର ଆବଶ୍ୟକତା ରହିଛି। ସଶସ୍ତ୍ର ବାହିନୀକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

ପେପର ଲିକ୍ ଘଟଣାରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ମୁଁ ଗୃହକୁ ସମ୍ବୋଧିତ କରିବା ବେଳେ ସଦସ୍ୟମାନେ ‘ନିଟ୍’ ସ୍ଲୋଗାନ ଦେଇଥିଲେ। ଏହାର ସମାଧାନ ପାଇଁ ଦଳୀୟ ରାଜନୀତିରୁ ଉପରକୁ ଉଠିବାର ଆବଶ୍ୟକତା ରହିଛି। ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି।

୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମଗ୍ର ଦେଶ ବିଶୃଙ୍ଖଳା ଭିତରକୁ ଠେଲି ହୋଇଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା। କିନ୍ତୁ ଏଭଳି ଅସାମ୍ବିଧାନିକ କ୍ଷମତା ବିରୋଧରେ ଦେଶ ବିଜୟୀ ହୋଇଥିଲା ବୋଲି ରାଷ୍ଟ୍ରପତି କହିଥିଲେ।