ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ

ଢେଙ୍କାନାଳ ଜିଲ୍ଲାରେ ବସକୁ ସବୁଜରୁ ଗେରୁଆ ରଙ୍ଗ ଦିଆଯାଇଥିବା ଦେଖିବାକୁ ମିଳିଛି।

ସବୁଜରୁ ହେଲା ଗେରୁଆ

ଭୁବନେଶ୍ବର, ୦୨/୦୭: ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସୁବିଧାରେ ଗମନାଗମନ ବ୍ୟବସ୍ଥା କରିବା ପାଇଁ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍। ପଞ୍ଚାୟତରୁ ସଦର ମହକୁମା ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ମାତ୍ର ୫ ଟଙ୍କାରେ ଯାତ୍ରୀଙ୍କୁ ବସ ସୁବିଧା ମିଳୁଥିଲା। ହେଲେ, ବିଜେପି ସରକାର ଗଠନ କରିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମନାକୁ ଆସୁଛି। ପ୍ରଥମେ ଲକ୍ଷ୍ମୀ ବସରୁ ବିଜେଡିର ଦଳୀୟ ପୋଷ୍ଟରକୁ ହଟାଇ ଦିଆଯାଇଥିଲା। ଏହା ପରେ ଲକ୍ଷ୍ମୀ ବସରୁ ନାମ ପରିବର୍ତ୍ତନ ହୋଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ହୋଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘୋଷଣା କରିଥିଲେ। ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାରେ ବସର ରଙ୍ଗ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଢେଙ୍କାନାଳ ଜିଲ୍ଲାରେ ୮ଟି ବସକୁ ସବୁଜରୁ ଗେରୁଆ ରଙ୍ଗ ଦିଆଯାଇଥିବା ଦେଖିବାକୁ ମିଳିଛି। କାହା ନିର୍ଦ୍ଦେଶରେ ଏ ରଙ୍ଗ ଦିଆଯାଇଛି ତାହାକୁ ନେଇ କୌଣସି ସ୍ପଷ୍ଟ ଭାବେ ଜଣା ପଡିନାହିଁ। ସେପଟେ ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଗଡିବାକୁ ଥିବା ସ୍ବତନ୍ତ୍ର ବସର ରଙ୍ଗକୁ ଗେରୁଆ କରାଯାଉଛି ବୋଲି ମତ ପ୍ରକାଶ ପାଇଛି।