ଚଳିତ ରଥଯାତ୍ରାରେ ୨ ଦିନ ରଥ ଟାଣିବେ ଶ୍ରଦ୍ଧାଳୁ

ଜୁଲାଇ ୭ ଓ ୮ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ।

୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୨/୦୭: ପବିତ୍ର ରଥଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ପଡୁ ଥିବାରୁ ଜୁଲାଇ ୭ ତାରିଖରେ ରଥଟଣା ହେବା ସହିତ ତା’ ପରଦିନ ଅର୍ଥାତ୍ ୮ ତାରିଖରେ ମଧ୍ୟ ରଥଟଣା ହେବ। ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନ ଧରି ରଥ ଟଣା କାର୍ଯ୍ୟକ୍ରମ ଥିବାରୁ ଜୁଲାଇ ୭ ଓ ୮ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଭକ୍ତମାନେ ଯେପରି ସୁରୁଖୁରୁରେ ରଥଟଣା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ପରିଚୟ। ମହାପ୍ରଭୁଙ୍କ ଏହି ରଥଯାତ୍ରା ପର୍ବରେ ସାରା ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି। ତେଣୁ ଏହାର ସୁରୁଖୁରୁରେ ପରିଚାଳନା କରିବା ଆମର ଦାୟିତ୍ୱ। ତେଣୁ ରଥଯାତ୍ରାକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବା ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।

ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ।