ଉତ୍ତରପ୍ରଦେଶ: ସତସଙ୍ଗ ବେଳେ ଦଳାଚକଟା; ୧୦୭ ମୃତ

ସତସଙ୍ଗ ଚାଲିଥିବା ବେଳେ ସତସଙ୍ଗରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।

ଆହୁରି ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

ଉତ୍ତରପ୍ରଦେଶ, ୦୨/୦୭: ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାର ରତିଭାନପୁର ଗାଁରେ ଘଟିଛି ଏକ ବଡ ଧରଣର ଅଘଟଣ। ମଙ୍ଗଳବାର ଏକ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଦଳା ଚକଟାରେ ୧୦୭ ଜଣଙ୍କର ମୃତ୍ୟୁ ଘଟିଛି। ଏକ ସତସଙ୍ଗ ଚାଲିଥିବା ବେଳେ ସତସଙ୍ଗରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସତସଙ୍ଗ ଶେଷ ହେବା ପରେ ଲୋକମାନେ ସେହି ସ୍ଥାନରୁ ବାହାରୁଥିବା ବେଳେ ପ୍ରବଳ ଭିଡ ହୋଇଥିବାରୁ ଦଳାଚକଟା ହୋଇ ଶ୍ୱାସରୁଦ୍ଧ ହୋଇ ଯାଇଥିବାରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପ୍ରାଥମିକ ଦୃଷ୍ଟିରୁ ଜଣାପଡିଛି ଯେ, ଘଟଣାସ୍ଥଳରେ ସତସଙ୍ଗରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ ଭିଡ ଦେଖାଦେଇଥିଲା, ଯାହାଫଳରେ ଅନେକ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରବଳ ଗରମ ଓ ଆର୍ଦ୍ରତା ରହିଥିଲା ବୋଲି ପୁଲିସ କହିଛି। କାର୍ଯ୍ୟକ୍ରମ ପରେ ବାହାରକୁ ଯିବାର କୌଣସି ବାଟ ନଥିବାରୁ ସମସ୍ତେ ପରସ୍ପର ଉପରେ ପଡ଼ିଯାଇଥିଲେ। ଅନେକ ଅଚେତ ହୋଇପଡ଼ିଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି।ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହାଥରସ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗ୍ରା ଏଡିଜି ଏବଂ ଆଲିଗଡ କମିସନରଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।