ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ପୋଲିସ।

ବାପାକୁ ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର, ୦୩/୦୭: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବାପାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ପୁଅ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ। ପୁଅ ଅନିରୁଦ୍ଧ ଚୌଧୁରୀ କିଟ୍ ୟୁନିଭର୍ସିଟି ଅଫ୍ କଲେଜରେ ପ୍ରଫେସର ଥିବା ବେଳେ ବାପା ସୁନୀଲ ଚୌଧୁରୀ ନାଲକୋର ଅବସରପ୍ରାପ୍ତ ଅଧିକାରୀ।

ଏଭଳି ଏକ ହାଇ-ପ୍ରୋଫାଇଲ ହତ୍ୟାକାଣ୍ଡ ସାରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାଥମିକ ସ୍ତରରେ ମିଳିଥିବା ସୂଚନା ଅନୁଯାୟୀ, ବାପା ସୁନୀଲ ଚୌଧୁରୀଙ୍କ ସହ ଝଗଡା ହେବାରୁ ପୁଅ ଅନିରୁଦ୍ଧ ଚୌଧୁରୀ ମାନସିକ ଭାରସାମ୍ୟ ହରାଇ ବାପାଙ୍କୁ ଛୁରୀ ଭୁଷି ଦେଇଥିଲେ। ଏହା ପରେ ଅଭିଯୁକ୍ତ ହତ୍ୟାକାରୀ ତାଙ୍କ ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଥିଲା।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇ କହିଛନ୍ତି ଯେ, ଋଣ ବୋଝରୁ ଅଭିଯୁକ୍ତ ପୁଅ ବାପାଙ୍କୁ ହତ୍ୟା କରିଛି। ଲକ୍ଷାଧିକ ଟଙ୍କାର ଋଣ ପାଇଁ ଚାପରେ ଥିଲେ ଅନିରୁଦ୍ଧ। ଋଣ ସୁଝିବା ପାଇଁ ସେ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ହେଲେ, ତାଙ୍କ ବାପା ଲକ୍ଷାଧିକ ଟଙ୍କା ଦେବାକୁ ମନା କରିବାରୁ ଆଜି ସକାଳୁ ବାପାଙ୍କ ସହ ତାଙ୍କର ଝଗଡା ହୋଇଥିଲା ଏବଂ ତାଙ୍କ ମା’ଙ୍କ ସାମନାରେ ହିଁ ବାପାଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲେ। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛି। ଏ ନେଇ ଭାରତୀୟ ନ୍ୟାୟ ସଂହିତା ୧୦୩ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି।