ହାଥରସ ଅଘଟଣ: ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଶୋକ ପ୍ରକାଶ କଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ, ୦୨/୦୭: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଘଟିଥିବା ଅଘଟଣରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରି ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟପଟେ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଅଘଟଣରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ ଏକ୍ସରେ ଲେଖିଛନ୍ତି ଯେ, ହାଥରସରେ ଅଘଟଣରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ଖବର ଶୁଣି ମୁଁ ଗଭୀର ଦୁଃଖିତ। ଏହି ଗମ୍ଭୀର ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ସହ ମୋର ସମବେଦନା ରହିଛି ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।