ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବ ଆଇଏମ୍ଏସ୍

ଦୁର୍ଘଟଣା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।

ଏନ୍ଏଚ୍ ୧୬ରେ ହେଲା କାର୍ଯ୍ୟକ୍ଷମ

ଭୁବନେଶ୍ବର, ୦୮/୦୭: ଦୁର୍ଘଟଣା ରୋକିବ ଆଡଭାନ୍ସଡ ଟେକ୍ନୋଲୋଜି। ସାବାଡ ହେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ରହିବ ପ୍ରମୁଖ ଭୂମିକା। ବେପରୁଆ ଗାଡି ଚାଳକଙ୍କୁ ରୋକିବ ଆଇଏମ୍ଏସ୍ ବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ। ମୋଟରଯାନ ଆଇନରେ ୨୦୨୧ ମସିହାରେ ପରିବର୍ତ୍ତନ ଆଣି ଆଇନ ଉଲ୍ଲଘଂନ କରୁଥିବା ଗାଡ଼ି ବିରୋଧରେ ଆଡଭାନ୍ସଡ ଟେକ୍ନୋଲୋଜି ପଦ୍ଧତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଏହି ବ୍ୟବସ୍ଥା କରିଛି ରାଜ୍ଯ ପରିବହନ ବିଭାଗ। ଏହା ଦ୍ୱାରା ସ୍ପିଡ୍ ଡ୍ରାଇଭିଂ, ରଙ୍ଗରୁଟ ଡ୍ରାଇଭିଂ, ହେଲମେଟ, ସିଟବେଲ୍ଟ, ଟ୍ରିପଲ ରାଇଡିଂ, ହିଟ୍ ଆଣ୍ଡ ରନ୍ ଘଟାଉଥିବା ଗାଡିକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କ୍ୟାପଚର କରିବ କ୍ୟାମେରା।

ରଥଯାତ୍ରା ଅବସରରେ ବେପରୁଆ ଗାଡ଼ି ଚାଳକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ସମ୍ଭାବନା ରହିଥିବାରୁ ଆଇଏମ୍ଏସକୁ କାର୍ଯ୍ୟକାରୀ କରାଯାଇଛି। ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଏନ୍ଏଚ୍ ୧୬ରେ ପୁରୀରୁ ଭୁବନେଶ୍ବର ଯାଏଁ ଏହି ନିୟମକୁ କାର୍ଯ୍ୟକ୍ଷମ କରାଯାଇଛି। ଏଥିରେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ୫୪୮ କିଲୋମିଟର ଦୂରତାକୁ ଆଇଏମ୍ଏସରେ ଅନ୍ତର୍ଭୁକ୍ତ କରାଯାଇଛି। ପାଣିକୋଇଲିଠାରୁ ରାମେଶ୍ଵର, ଭୁବନେଶ୍ବରଠାରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି ପର୍ଯ୍ୟନ୍ତ ରାସ୍ତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ଆଗାମୀ ୫ ବର୍ଷରେ ୮୮ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି।