୧୪ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ସୂଚନା

ଭୁବନେଶ୍ବର, ୦୯/୦୭: ଆଜି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ସମେତ ମୂଲ୍ୟବାନ ସାମଗ୍ରୀର ଗଣତି ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ତଦାରଖ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି।

ବୈଠକ ପରେ ଗଣମାଧ୍ୟମରେ ସୂଚନା ଦେଇ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି ଯେ, ଆସନ୍ତା ଜୁଲାଇ ୧୪ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେହି ପୁରୁଣା ଚାବିରେ ତାଲା ନ ଖୋଲିଲେ ମଧ୍ୟ ଯେମିତି ହେଲେ ବି ରତ୍ନଭଣ୍ଡାର ଖୋଲାଯିବ। ଏ ନେଇ ଏସଓପି ପ୍ରସ୍ତୁତ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଜାଗା ସ୍ଥିର ହୋଇ ସାରିଛି। ଆସନ୍ତା ୧୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖିବ ମ୍ୟାନେଜିଂ କମିଟି। ଏ ଉପରେ ସରକାର ଅନୁମତି ଦେବେ ବୋଲି ଆଶାବାଦୀ ଅଛୁ। ୧୪ରେ ଚାବି ଆଣିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଗଣତି ବେଳେ ମହାପ୍ରଭୁଙ୍କ ଦର୍ଶନ ଚାଲୁ ରହିବ। ମହାପ୍ରଭୁଙ୍କ ଦର୍ଶନରେ ଭକ୍ତଙ୍କ ପାଇଁ କୌଣସି ବାଧା ସୃଷ୍ଟି ହେବ ନାହିଁ। ରତ୍ନଭଣ୍ଡାର ଖୋଲି ଗଣତି କରିବା ପାଇଁ ଗୋଟିଏ କି ଦୁଇଟା ଦିନର କଥା ନୁହେଁ, ବରଂ ବହୁ ଦିନ ଲାଗିବ। ନୀଳା, ହୀରା ଓ ରତ୍ନର ଗଣତି ହେଲେ ମଧ୍ୟ କୌଣସି ମୂଲ୍ୟାୟନ କରାଯିବ ନାହିଁ। ଏହି କାର୍ଯ୍ୟରେ ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାର ମିଳିତ ସହଯୋଗ କରିବେ ବୋଲି ଆଶା ଅଛି।