ମସ୍କୋରେ ଓଡ଼ିଶା ସ୍କାର୍ଫରେ ଚମକିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଋଷ ଗସ୍ତରେ ଅଛନ୍ତି।

ହିନ୍ଦୀ ଗୀତ ସହ ଯୋଡିଲେ ଋଷ-ଭାରତ ସମ୍ପର୍କ

ନୂଆଦିଲ୍ଲୀ, ୦୯/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଋଷ ଗସ୍ତ କରିଥିବା ବେଳେ ଆଜି ଋଷର ରାଜଧାନୀ ମସ୍କୋରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ଏବଂ ରୁଷିଆର ଦଶନ୍ଧି ଧରି ଥିବା ସମ୍ପର୍କକୁ ତିଷ୍ଠି କରି ରଖିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଏଥିରେ ବହୁତ ଅବଦାନ ରହିଛି ବୋଲି କହିଥିଲେ। ରୁଷିଆ ଶବ୍ଦ ଶୁଣିଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ଶବ୍ଦ ଆସିଥାଏ ତାହା ହେଉଛି ଭାରତର ଘନିଷ୍ଠ ବନ୍ଧୁ।

ଋଷିଆରେ ଶୀତ ଋତୁରେ ତାପମାତ୍ରା ଯେତିକି ତଳକୁ ଖସିଲେ ମଧ୍ୟ ଋଷ-ଭାରତ ସମ୍ପର୍କ ସେତେ ସର୍ବୋପରେ। ଏକ ହିନ୍ଦୀ ଗୀତ ଘରେ ଘରେ ପରିଚିତ ଥିଲା, ‘ସର୍ ପେ ଲାଲ ଟୋପି ରୁଷି, ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ତାନୀ। ଏହି ଗୀତ ପୁରୁଣା ହୋଇଥାଇପାରେ, କିନ୍ତୁ ଭାବନା ସର୍ବଦା ତାଜା। ରାଜ କପୁର, ମିଥୁନ ଦାଙ୍କ ଭଳି କଳାକାର ଏହି ଗୀତ ମାଧ୍ଯମରେ ଭାରତ ଓ ରୁଷ ମଧ୍ୟରେ ବନ୍ଧୁତାକୁ ସୁଦୃଢ଼ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଋଷ-ଭାରତର ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ପୁଟିନ୍ ଚମତ୍କାରପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ମୁଁ ଏଥର ଷଷ୍ଠ ଥର ପାଇଁ ରୁଷିଆକୁ ଆସିଛି ଏବଂ ଏହି ବର୍ଷ ମଧ୍ୟରେ ଆମେ ୧୭ ଥର ପରସ୍ପରକୁ ଭେଟିଛୁ। ଏହି ସବୁ ବୈଠକ ଓ ସାକ୍ଷାତକାର ପରସ୍ପର ମଧ୍ୟରେ ବିଶ୍ୱାସ ଓ ସମ୍ମାନ ବୃଦ୍ଧି କରିଛି। ଯେତେବେଳେ ଭାରତର ଛାତ୍ରମାନେ ଋଷିଆ-ୟୁକ୍ରେନ ଯୁଦ୍ଧରେ ଫସି ଯାଇଥିଲେ, ରାଷ୍ଟ୍ରପତି ପୁଟିନ୍ ସେମାନଙ୍କୁ ସ୍ୱଦେଶ ଫେରାଇ ନେବାରେ ବହୁ ସାହାଯ୍ୟ କରିଥିଲେ। ଋଷ-ୟୁକ୍ରେନ ଯୁଦ୍ଧରେ ନିୟୋଜିତ ଥିବା ଭାରତୀୟ ସେନାଙ୍କୁ ଋଷ ଖୁବଶୀଘ୍ର ମୁକ୍ତ କରିବ। ଏହାକୁ ନେଇ ପ୍ରକ୍ରିୟା ଚାଲିଛି।

୬୦ ବର୍ଷ ପରେ ଭାରତରେ ତୃତୀୟ ଥର ପାଇଁ ସ୍ଥିର ସରକାର ଗଠନ ହେବା ବହୁତ ବଡ଼ କଥା। ୪ଟି ରାଜ୍ୟ ଯଥାକ୍ରମେ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଅନୁଷ୍ଠିତ ନିର୍ବାଚନରେ ଏନଡିଏ କ୍ଲିନ୍ ସୁଇପ୍ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଛି। ଚଳିତ ନିର୍ବାଚନରେ ଓଡ଼ିଶା ଏକ ବିପ୍ଳବ ଆଣିଛି। ତୃତୀୟ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ପ୍ରବାସୀ ଭାରତୀୟଙ୍କ ସହ ଏହା ମୋର ପ୍ରଥମ କଥାବାର୍ତ୍ତା। ଆଜି ହେଉଛି ଜୁଲାଇ ୯, ଏବଂ ମୁଁ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ପୂରା ଏକ ମାସ ବିତିଗଲାଣି ଏବଂ ମୁଁ ଶପଥ ନେଇଥିଲି ଯେ ମୁଁ ତିନି ଗୁଣ ଅଧିକ ବିକାଶ ସହିତ, ତିନି ଗୁଣ ଅଧିକ ବେଗରେ କାମ କରିବି। ତୃତୀୟ ପାଳିରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଏବଂ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ତୃତୀୟ ପାଳିରେ ଗରୀବଙ୍କୁ ଆହୁରି ୩ କୋଟି ଘର ଦେବୁ ଓ ୩ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବୁ ବୋଲି ପ୍ରତିଶ୍ରୁତିବଦ୍ଧ। ଭାରତ ଆତ୍ମବିଶ୍ୱାସରେ ଭରି ରହିଛି। ହିନ୍ଦୁସ୍ତାନର ପ୍ରତିଟି ଯୁବକ ଆଗକୁ ବଢୁଛି। ଦେଶରେ ଲକ୍ଷ ଲକ୍ଷ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ହୋଇଛି। ବିକାଶ ପଥରେ ଆଗେଇ ଚାଲିଛି ଭାରତ। ସାରା ବିଶ୍ଵ ଭାରତର ବିକାଶ ଦେଖି ଚକିତ। ଦେଶବାସୀ ଭାରତକୁ ବିକଶିତ କରିବା ପାଇଁ ସଂକଳ୍ପବଦ୍ଧ। ଆଗାମୀ ୧୦ ବର୍ଷରେ ଭାରତର ଦ୍ରୁତ ବିକାଶ ହେବ ବୋଲି ମୋଦି କହିଥିଲେ।

ସମ୍ବୋଧନ ସଭାରେ ମୋଦି ଧଳା କୁର୍ତ୍ତା ପାଇଜାମା ସହ ଓଡ଼ିଶାର ହାତ ବୁଣା ନାଲି ସ୍କାର୍ଫ ପକାଇଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ମୋଦି କହିଥିଲେ ଯେ, ଏଠାକୁ ମୁଁ ଏକା ଆସିନି। ମୋ ଦେଶମାଟିର ମହକ ନେଇ ଆସିଛି। ଓଡିଶାର ହାତ ବୁଣା ସ୍କାର୍ଫ ନେଇ ଆପଣଙ୍କ ପାଖକୁ ଆସିଛି ବୋଲି ମୋଦୀ କହିଥିଲେ।