ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ମହିଳାଙ୍କ ହଙ୍ଗାମା

ଅଧଘଣ୍ଟା ରାସ୍ତା ଜାମ

ଭୁବନେଶ୍ବର, ୦୯/୦୭: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାରକେଡ୍ ଆଗରେ ଘଟିଛି ହାଇଡ୍ରାମା। ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସାମନାରେ ହଙ୍ଗାମା କରିଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱରର ରସୁଲଗଡ ଛକରେ। ରସୁଲଗଡ ଛକରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସାମନାକୁ ଆସି କାରକେଡ୍ ଅଟକାଇବାକୁ ଚେଷ୍ଟା କରିଥିଲେ। କିଛି ସମୟ ଯାଏଁ ଏ ହାଇଡ୍ରାମା ଚାଲିଥିଲା। ଯାହା ଫଳରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ କିଛି ସମୟ ପାଇଁ ଅଟକି ଯାଇଥିଲା। ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢିଥିଲା।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ ଛକରେ ଅଧଘଣ୍ଟା ପାଇଁ ପୋଲିସ୍ ସାଧାରଣ ଜନତାଙ୍କ ଯାତାୟତ ବନ୍ଦ ରଖିଥିଲା। ଏହି ସମୟରେ ସମ୍ପୃକ୍ତ ମହିଳା କୌଣସି ମେଡିକାଲ କାମରେ ଯିବା ପାଇଁ ବାଟ ଛାଡ଼ିବାକୁ କହିଥିଲେ ମଧ୍ୟ ପୋଲିସ ତାଙ୍କୁ ଅନୁମତି ଦେଇନଥିଲା। ଯାହା ଫଳରେ ମହିଳା ଜଣଙ୍କ ଉତକ୍ଷିପ୍ତ ହୋଇ କାରକେଡ୍ ସାମନାକୁ ପଳାଇ ଆସିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ସୁରକ୍ଷା ଦିଆଯାଉଥିଲେ ମଧ୍ୟ କିଭଳି ଜଣେ ମହିଳା ପୋଲିସର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସାମନାକୁ ଆସିଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।