ଯୁବପିଢ଼ିଙ୍କ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଫୋକସ

ରାଜ୍ୟରେ ଶିଳ୍ପ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୫ ବର୍ଷରେ ଓଡ଼ିଶା ହେବ ଦେଶର ବିକାଶର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୦/୦୭: ଯୁବପିଢିଙ୍କ ନିଯୁକ୍ତି ଉପରେ ଦିଆଯିବ ଗୁରୁତ୍ୱ। ଶିଳ୍ପାୟନକୁ ମିଳିବ ପ୍ରୋତ୍ସାହନ। ଧାତୁ ଓ ଖଣିଜ ଭିତ୍ତିକ ଶିଳ୍ପ ସହିତ ବନ୍ଦର ଭିତ୍ତିକ ଶିଳ୍ପକୁ ମଧ୍ୟ ଦିଆଯିବ ପ୍ରାଧାନ୍ୟ। ଓଡ଼ିଶାକୁ ଦେଶରେ ଏକ ଅଗ୍ରଣୀ ଶିଳ୍ପଭିତ୍ତିକ ରାଜ୍ୟରେ ପରିଣତ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି ଲୋକସେବା ଭବନରେ ଶିଳ୍ପ ବିଭାଗ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଓଡ଼ିଶାରେ ବିପୁଳ ସୁଯୋଗ ରହିଛି। ତେଣୁ ରାଜ୍ୟରେ ବିଭିନ୍ନ ବର୍ଗର ଶିଳ୍ପର ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦିଆଯିବ। ଶିଳ୍ପାୟନ ଗଠନ ସହ ସ୍ଥାନୀୟ ଅଞ୍ଚଳର ବିକାଶ ସହ ପାଇଁ ଉନ୍ନତ ପରିବେଶ ସୃଷ୍ଟି କରାଯିବା ପାଇଁ ପ୍ରାଧାନ୍ୟ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଉପରେ ବିଶେଷ ଧ୍ୟାନ ରହିଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶର ବିକାଶର ପ୍ରବେଶ ଦ୍ୱାର ହେବ। ତେଣୁ ଶିଳ୍ପାୟନ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟରେ ଅଧିକ ଶ୍ରମଭିତ୍ତିକ ଶିଳ୍ପାୟନ ଗଢି ଉଠିଲେ ସ୍ଥାନୀୟ ଯୁବପିଢ଼ିମାନେ ରୋଜଗାର ପାଇ ପାରିବେ। ଏହା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ ଯୁବପିଢ଼ି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମ୍ଏସ୍ଏମ୍ଇ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।