କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ଅସ୍ମିତା ଭବନ ପାଇଁ ୨୦୦ କୋଟି

ଭୁବନେଶ୍ବର, ୧୦/୦୭: ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ଥିଲା ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ।

କ୍ୟାବିନେଟ ବୈଠକ ସର୍ବନିମ୍ନ ମଜୁରୀ ୩୫୨ରୁ ୪୫୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କୁଶଳୀ, ଅଣକୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ଦରମା ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦରମା ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ଦରମା ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ଦରମା ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।

ସେହିପରି ୧୮ ହଜାର ୭୮୮ ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓଡ଼ିଆ ଅସ୍ମିତା ଭବନ ପାଇଁ ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର କର୍ପସ ପାଣ୍ଠିକୁ ଅନୁମୋଦନ ମିଳିଛି। ଓଡ଼ିଆ ଅନୁବାଦ ଏକାଡେମୀ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ କରାଯିବ। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବାଦ ପଡ଼ିଥିବା ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହ ସହରାଞ୍ଚଳ ହିତାଧିକାରୀମାନଙ୍କୁ ମଧ୍ୟ ଏହି ସୁବିଧାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଉତ୍ସବ ମାନ୍ୟତା ପ୍ରସ୍ତାବକୁ ମୋହର ମାରିଛନ୍ତି ସରକାର। ଏକା ବ୍ୟତୀତ ସମସ୍ତ ଅଚଳ ପ୍ରକଳ୍ପକୁ ସଚଳ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।