ଶେଷରେ ମୁହଁ ଖୋଲିଲେ ଶିକ୍ଷାନବିଶ ଆଇଏଏସ୍ ଅଧିକାରୀ ପୂଜା ଖେଡକର

କହିଲେ ମିଡ଼ିଆ ଟ୍ରାଏଲରେ ଦୋଷୀ ସାବ୍ୟସ୍ତ କରିବା ଭୁଲ

ପୁନେ, ୧୫/୦୭: ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଉପାୟ ଅବଲମ୍ବନ କରି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଶିକ୍ଷାନବିଶ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ଖେଡକର କହିଛନ୍ତି, ମୋ ବିରୋଧରେ ଗଣମାଧ୍ୟମରେ ଚାଲିଥିବା ଖବର ଅନ୍ୟାୟ। ସମସ୍ତେ ଜାଣିଛନ୍ତି କ’ଣ ଚାଲିଛି। ତେଣୁ ମିଡିଆ ଟ୍ରାଏଲ ଦ୍ୱାରା ମୋତେ ଦୋଷୀ ସାବ୍ୟସ୍ତ କରିବା ସମସ୍ତଙ୍କ ପକ୍ଷରେ ଭୁଲ। ଭାରତୀୟ ସମ୍ବିଧାନ ଆଧାରରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଆପଣ ନିର୍ଦ୍ଦୋଷ। ମୁଁ ବିଶେଷଜ୍ଞ କମିଟି ସମ୍ମୁଖରେ ସାକ୍ଷ୍ୟ ଦେବି ଏବଂ କମିଟିର ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ। ଯାହା ବି ତଦନ୍ତ ଚାଲିଛି ସେ ବିଷୟରେ କହିବାର ଅଧିକାର ମୋର ନାହିଁ।

ଗୁରୁବାର କେନ୍ଦ୍ର ସରକାର ଖେଡକରଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଠିଥିବା ବିବାଦ ଉପରେ ସତ୍ୟତାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଅତିରିକ୍ତ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି କାର୍ମିକ ମନ୍ତ୍ରଣାଳୟ ଘୋଷଣା କରିଛି।