ପାକିସ୍ତାନରେ ବ୍ୟାନ ହେବ ଇମ୍ରାନଙ୍କ ଦଳ ପିଟିଆଇ

ପାକିସ୍ତାନରେ ପିଟିଆଇ ଦଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରିଛନ୍ତି ପାକିସ୍ତାନ ସରକାର।

ଦେଶବିରୋଧୀ କାର୍ଯ୍ୟକଳାପରେ ପିଟିଆଇ ସମ୍ପୃକ୍ତି ଥିବାର ଅଛି ପ୍ରମାଣ: ସୂଚନା ମନ୍ତ୍ରୀ

ନୂଆଦିଲ୍ଲୀ, ୧୫/୦୭: ଖୁବ ଶୀଘ୍ର ପାକିସ୍ତାନରେ ବ୍ୟାନ ହେବାକୁ ଯାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ୱାରା ଗଠିତ ପାକିସ୍ତାନ ତେହରିକ-ଏ-ଇନସାଫ୍ ବା ପିଟିଆଇ ଦଳ। ବର୍ତ୍ତମାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନେତୃତ୍ୱାଧୀନ ପିଟିଆଇ ବର୍ତ୍ତମାନ ଦେଶର ମୁଖ୍ୟ ବିରୋଧୀ ଦଳ ଭାବରେ ଅଛି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପାକିସ୍ତାନ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର।

ପିଟିଆଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ଅଛି ବୋଲି ସେ କହିଛନ୍ତି। ତରାର ଅଭିଯୋଗ କରିଛନ୍ତି ଯେ ପିଟିଆଇ ରାଜନୈତିକ ଫାଇଦା ପାଇଁ ପାକିସ୍ତାନର କୂଟନୈତିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଇମ୍ରାନ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଦେଶର କୂଟନୈତିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଆମେରିକାରେ ପାକିସ୍ତାନ ବିରୋଧରେ ଏକ ସଂକଳ୍ପ ପାରିତ କରାଇଥିଲେ ବୋଲି ତରାର ଏହି ଅଭିଯୋଗ ଆଣିଥିବାର ପାକିସ୍ତାନ ଖବରକାଗଜ ଡନରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।