ଡୋଡାରେ ଆତଙ୍କୀ ହାମଲା: ୪ ଯବାନ ସହିଦ

ଡୋଡାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଆର୍ମି ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ।

ଆକ୍ରମଣ ପଛରେ ରହିଛି ‘କାଶ୍ମୀର ଟାଇଗର୍ସ’ର ହାତ

ଜମ୍ମୁ-କଶ୍ମୀର, ୧୬/୦୭: ଜମ୍ମୁ-କଶ୍ମୀରରେ ଥମୁନି ଆତଙ୍କୀ ହାମଲା। ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ସହିଦ ହେଉଛନ୍ତି ଭାରତୀୟ ଆର୍ମି ଯବାନ। ସୋମବାର ଜାମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ହାମଲାରେ ଜଣେ ଆର୍ମି ଅଫିସରଙ୍କ ସହିତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସହଯୋଗୀ ‘କାଶ୍ମୀର ଟାଇଗର୍ସ’ର ହାତ ରହିଥିବା ଜଣାପଡ଼ିଛି।

ସୋମବାର ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସର ରାଷ୍ଟ୍ରୀୟ ରାଇଫଲ୍ସ ଆଣ୍ଡ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଯବାନମାନେ ଡୋଡା ସହରଠାରୁ ପ୍ରାୟ ୫୫ କିଲୋମିଟର ଦୂର ଦେସା ଜଙ୍ଗଲର ଧାରି ଗୋଟ ଉରାରବଗିଠାରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କିଛି ଆତଙ୍କବାଦୀ ସେଠାରୁ ଖସି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଯବାନମାନେ ସେମାନଙ୍କୁ ପିଛା କରିଥିଲେ। ନିଜକୁ ସୁରକ୍ଷା କରିବାକୁ ଯାଇ ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏହି ଗୁଳି ବିନିମୟରେ ୫ ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ ୪ ଯବାନଙ୍କର ମୃତ୍ୟୁ ଘଟିଥିଲା। ଏନକାଉଣ୍ଟର ପରେ ଏହି ଅଞ୍ଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖାଯାଇଛି। ଅନ୍ୟପଟେ, ଡୋଡାର ବର୍ତ୍ତମାନ ସ୍ଥିତି ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ଆର୍ମି ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ।

ସୂଚନାଯୋଗ୍ୟ, ଡୋଡାରେ ଦିନକୁ ଦିନ ଆତଙ୍କୀ ହାମଲା ବଢ଼ିବାରେ ଲାଗିଛି। ପ୍ରଥମେ ଜୁନ ୧୧ ଓ ୧୨ ତାରିଖରେ ଭଦ୍ରବାହ ଓ ପଠାନକୋଟ ମାର୍ଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଡୋଡାରେ ଜୁନ୍ ୨୬ ତାରିଖରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜୁଲାଇ ୬ ତାରିଖରେ କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଓ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ। ଜୁଲାଇ ୮ ତାରିଖରେ କଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରକୁ ଆକ୍ରମଣ କରିବାରୁ ଜଣେ ଜୁନିୟର ଅଫିସରଙ୍କ ସମେତ ୫ ସେନା ଯବାନ ସହିଦ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଗତ ଜୁଲାଇ ୧୪ ତାରିଖରେ କୁପଓ୍ଵାରା ଜିଲ୍ଲାର ଏଲ୍ଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଦ୍ୱାରା ସଫଳ ହୋଇନଥିଲେ ଆତଙ୍କବାଦୀ। ଏହା ସହ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କୁ ନିହତ ହୋଇଥିଲେ।