ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ

କ୍ରମାଗତ ତୃତୀୟ ଥର ରାଷ୍ଟ୍ରପତି ନିର୍ବାଚନରେ ଲଢିବେ ଡୋନାଲ୍ଡ ଟ୍ରମ୍ପ।

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ ଟ୍ରମ୍ପ

ଆମେରିକା, ୧୬/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ବିଧିବଦ୍ଧ ଭାବେ ଟ୍ରମ୍ପଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି ରାତିରେ ମିଲୱାକିରେ ରିପବ୍ଲିକାନ ନ୍ୟାସନାଲ କମିଟି ପ୍ରତିନିଧିଙ୍କଠାରୁ ବହୁମତ ହାସଲ କରିବା ପରେ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କ ନାଁ ଘୋଷଣା ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ବାଛିଛନ୍ତି ଟ୍ରମ୍ପ। ଓହିଓ ସିନେଟର ଜେଡି ଭାନ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

୨୦୧୬ରେ ପ୍ରଥମେ ଟ୍ରମ୍ପ ରାଷ୍ଟ୍ରପତି ରେସରେ ସାମିଲ ହୋଇଥିଲେ। ୨୦୧୬ରେ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥି ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରି ପ୍ରଥମ ଥର ରାଷ୍ଟ୍ରପତି ପଦରେ ବିରାଜମାନ ହୋଇଥିଲେ। ଦ୍ୱିତୀୟ ଥର ୨୦୨୦ରେ ହାରି ଯାଇଥିଲେ ଟ୍ରମ୍ପ। ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନଙ୍କଠାରୁ ବିପୁଳ ଭୋଟରେ ପରାସ୍ତ ହୋଇଥିଲେ ଟ୍ରମ୍ପ। ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ରେ ପୁଣି ଥରେ ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ ପାର୍ଟି ଟ୍ରମ୍ପଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେପଟେ ଟ୍ରମ୍ପଙ୍କ ଉପରକୁ ଆତତାୟୀ ଆକ୍ରମଣ ପରେ ଆମେରିକାରେ ଟ୍ରମ୍ପଙ୍କୁ ବହୁ ସମର୍ଥନ ମିଳିଛି।