ଅଲଗା ହେଲେ ହାର୍ଦ୍ଦିକ-ନତାଶା

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କଳାକାର ନତାଶା ଷ୍ଟାନକୋଭିକ୍ ପରସ୍ପରଠାରୁ ଅଲଗା ହୋଇଛନ୍ତି।

୪ ବର୍ଷର ସମ୍ପର୍କରେ ପଡିଲା ବିଚ୍ଛେଦାଗାର

ମୁମ୍ବାଇ, ୧୮/୦୭: ଅନ୍ତ ହେଲା ସମସ୍ତ କଳ୍ପନାଜଳ୍ପନା। ଚର୍ଚ୍ଚାରେ ପଡ଼ିଲା ପୁର୍ଣ୍ଣଚ୍ଛେଦ। ଭାରତୀୟ ତାରକା କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ କଳାକାର ତଥା ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରଠାରୁ ହେଲେ ଅଲଗା। ୪ ବର୍ଷ ଧରି ଏକାଠି ରହିବା ପରେ ଏବେ ବିଚ୍ଛେଦ ହେବେ। ଗତ କିଛି ମାସ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନକୋଭିକ୍ ଅଲଗା ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ଖୋଦ୍ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଆନୁଷ୍ଠାନିକ ଭାବେ ଏହି ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଗୁରୁବାର ଏକ ମିଳିତ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “୪ ବର୍ଷ ଏକାଠି ରହିବା ପରେ ନତାଶା ଏବଂ ମୁଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଏକାଠି ରହିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲୁ ଏବଂ ଆମର ସବୁକିଛି ଦେଇଥିଲୁ, ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହି ନିଷ୍ପତ୍ତି ଆମ ଦୁହିଁଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ। ଆମ ପରିବାର ଆଗକୁ ବଢୁଥିବା ବେଳେ ଆମେ ଏକାଠି ରହିବା, ପରସ୍ପରକୁ ସମ୍ମାନ ଦେବା ସହ ଏହା ଆମ ପାଇଁ ଏକ କଠିନ ନିଷ୍ପତ୍ତି। ଆମ ପାଖରେ ଅଗସ୍ତ୍ୟ ଅଛନ୍ତି, ଯିଏ କି ଆମ ଦୁହିଁଙ୍କ ଜୀବନର ମୁଖ୍ୟ ଅଂଶ ଏବଂ ଆମେ ଆମ ପୁଅର ଖୁସି ପାଇଁ ତାଙ୍କୁ ସବୁକିଛି ଦେବା ସୁନିଶ୍ଚିତ କରିବା ପାଇଁ ସହ-ପିତାମାତା ରହିବୁ। ଏହି କଠିନ ଏବଂ ସମ୍ବେଦନଶୀଳ ସମୟରେ ଆପଣମାନଙ୍କ ସମର୍ଥନ ଆଶା କରୁଛୁ। ହାର୍ଦ୍ଦିକ/ନତାଶା”।

୨୦୧୮ରୁ ପ୍ରଥମେ ଉଭୟ ଡେଟିଂ କରୁଥିବାର ଖବର ସାମନାକୁ ଆସିଥିଲା। ପରେ ୨୦୧୯ରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ନତାଶା ହାର୍ଦ୍ଦିକଙ୍କୁ ‘ବେଷ୍ଟ ଫ୍ରେଣ୍ଡ’ ବୋଲି କହିଥିଲେ। ଯାହା ପରେ ଚର୍ଚ୍ଚା ଆହୁରି ଘନେଇଥିଲା। ୨୦୨୦ ଜାନୁଆରୀ ପହିଲାରେ ଦୁହେଁ ନିର୍ବନ୍ଧ କରିଥିଲେ ଏବଂ ସେହି ବର୍ଷ ଜୁଲାଇରେ ଏକ ପୁତ୍ର ସନ୍ତାନ ଅଗସ୍ତ୍ୟଙ୍କୁ ଜନ୍ମ ଦେଇଥିଲେ। ହାର୍ଦ୍ଦିକ ଓ ନତାଶା ୨୦୨୩ ଫେବ୍ରୁଆରୀ ୧୪ରେ ଉଦୟପୁରରେ ବିବାହ କରିଥିଲେ। ତେବେ ୨୦୨୪ ଆଇପିଏଲ ମ୍ୟାଚ୍ ପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ଶୁଣିବାକୁ ମିଳୁଥିଲା। ପୂର୍ବରୁ ଦୁହେଁ ଏକାଠି ଫଟୋ ପୋଷ୍ଟ କରିବାରେ ସକ୍ରିୟ ଥିବା ବେଳେ ହଠାତ୍ ଗତ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା।