ଆଇଏଏସ୍ ପୂଜା ଖେଡକରଙ୍କ ବିରୋଧରେ ଆକ୍ସନ ନେଲା ୟୁପିଏସସି

ମିଛ ପରିଚୟ ଦେଇ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ପୂଜା ଖେଡକର।

ଏଫ୍ଆଇଆର ରୁଜୁ, ନୋଟିସ୍ ଜାରି କଲା ୟୁପିଏସସି

ନୂଆଦିଲ୍ଲୀ, ୧୯/୦୭: ଆଇଏଏସ୍ ପ୍ରୋବେସନର ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସସି ଶୁକ୍ରବାର ଏକ ଏଫ୍ଆଇଆର୍ ରୁଜୁ କରିଛି। ୟୁପିଏସସି ପରୀକ୍ଷାରେ ହୋଇଥିବା ପୂଜାଙ୍କ ଚୟନ ବାତିଲ କରିବା ଏବଂ ଭବିଷ୍ୟତରେ ୟୁପିଏସସି ପରୀକ୍ଷାରୁ ବଞ୍ଚିତ ରହିବା ପାଇଁ ଆୟୋଗ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ର ନିୟମାବଳୀ ଅନୁଯାୟୀ ସିଭିଲ ସର୍ଭିସ ପରୀକ୍ଷା-୨୦୨୨ରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା/ ଭବିଷ୍ୟତ ପରୀକ୍ଷା/ଚୟନରୁ ବଞ୍ଚିତ ରହିବା ପାଇଁ ୟୁପିଏସସି ତାଙ୍କ ବିରୋଧରେ ଅପରାଧିକ ଅଭିଯାନ ସମେତ ଅନେକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ୟୁପିଏସସି ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ପୂଜା ନିଜ ନାମ, ବାପା ଓ ମା’ଙ୍କ ନାମ, ଫଟୋ/ ଦସ୍ତଖତ, ତାଙ୍କ ଇମେଲ ଆଇଡି, ମୋବାଇଲ ନମ୍ବର ଏବଂ ଠିକଣା ବଦଳାଇ ପରୀକ୍ଷା ଦେଇଥିଲେ, ଯାହା ନିୟମ ବିରୁଦ୍ଧ। ଏହା ବ୍ୟତୀତ ପୂଜା ଓବିସି ଏବଂ ପିଡବ୍ଲ୍ୟୁବିଡି କୋଟାର ଅପବ୍ୟବହାର କରିଥିବା ଜଣାପଡିଛି।