ବଦଳିଲା ସରକାର, ବଦଳୁ ନାହାନ୍ତି ଅଧିକାରୀ

ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ଆଲାଏଡ୍ ଅଫିସରମାନେ ବହୁ ବର୍ଷ ଧରି ଗୋଟିଏ ପଦବୀରେ ରହିଥିବାରୁ ଓଡ଼ିଶା କ୍ୟାଡର ଅଧିକାରୀ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଅସ୍ମିତା ପଡ଼ିଛି ବନ୍ଧା; ରାଜ୍ୟ ହରାଉଛି ବିପୁଳ ରାଜସ୍ୱ

ଭୁବନେଶ୍ୱର,୨୮/୦୭: ଦୀର୍ଘ ୨୪ବର୍ଷ ପରେ ଓଡ଼ିଶାରେ ଓଡ଼ିଆ ଶାସନ ଆରମ୍ଭ ହୋଇଛି । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଦେଇଛନ୍ତି । ଶାସନଭାର ବଦଳିଛି, ହେଲେ ଦୀର୍ଘବର୍ଷ ଧରି କେନ୍ଦ୍ରରୁ ଡେପୁଟେସନ ଆଳରେ ରାଜ୍ୟରେ ଥଇଥାନ ହୋଇଥିବା କେନ୍ଦ୍ରର ବିଭିନ୍ନ ବର୍ଗର ଆଲାଏଡ ସର୍ଭିସ ଅଧିକାରୀ ଏବେ ବି ବିଭିନ୍ନ ବିଭାଗରେ ଚକା ପକାଇ ବସିଛନ୍ତି । ଏଥିଯୋଗୁଁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ଓଡ଼ିଶା କ୍ୟାଡରର ବିଭିନ୍ନ ବର୍ଗର ବରିଷ୍ଠ ଅଧିକାରୀ ଉପଯୁକ୍ତ ପଦରେ ଅବସ୍ଥାପିତ ହୋଇପାରୁ ନାହାନ୍ତି । ଅଣଓଡ଼ିଆ ଆଲାଏଡ ଅଫିସରମାନେ ମୋଟା ଅଙ୍କର ଦରମା ନେଇ ରାଜ୍ୟ ସରକାରଙ୍କ ବହୁ ପଦପଦବିରେ ଦୀର୍ଘବର୍ଷ ଧରି ରହି ଆସୁଛନ୍ତି । ଏହାଦ୍ୱାରା କେବଳ ଯେ ରାଜ୍ୟର ରାଜସ୍ୱ ହାନି ହେଉଛି ତାହା ନୁହେଁ ବହୁ ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି । ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯିବ ବୋଲି ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ିଶା ହାଉସିଂବୋର୍ଡରେ ସର୍ବଭାରତୀୟସ୍ତରର ଆଲାଏଡ ସେବବର୍ଗର ମହିଳା ଅଧିକାରୀ ସାଗରିକା ପଟ୍ଟନାୟକ ଦୀର୍ଘବର୍ଷ ଧରି ନିର୍ଦେଶିକା ପଦରେ ରହି ଆସୁଛନ୍ତି । ସେହିପରି ଟେକ୍ସଟାଇଲ ନିର୍ଦେଶକ ଶୋଭନ ସାହୁ, ବାଣିଜ୍ୟ ପରିବହନ ଓ ଆୟକର ବିଭାଗରେ ସଞ୍ଜୟ ମିଶ୍ର, ଓଡ଼ିଶା ବିଧାନସଭାର ଯୁଗ୍ମ ନିର୍ଦେଶକ ପି. କେ ମେଶ୍ରା, ଓକାକର ପରିଚାଳନା ନିର୍ଦେଶକ ମାନସ ପଣ୍ଡା ପ୍ରଭୃତି ସଂଖ୍ୟାଧିକ ଆଲାଏଢଡ ସର୍ଭିସ କ୍ୟାଡରର ଅଧିକାରୀମାନେ ବହୁ ମୁଖ୍ୟପଦ ପଦବି ମାଡି ବସିଛନ୍ତି । ଏହାକୁ ନେଇ ବରିଷ୍ଠ ଓଏଏସ୍‌ଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି । ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଯେଉଁ ଅସ୍ମିତା ପ୍ରସଙ୍ଗକୁ ନେଇ ଏବଂ ଅଣଓଡ଼ିଆଙ୍କୁ ହଟାଇବା ଲକ୍ଷ୍ୟ ନେଇ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲା, ସେହି ସରକାର କିଭଳି ଅଣଓଡ଼ିଆ ଅଧିକାରୀଙ୍କୁ ତାଙ୍କ ମୂଳପଦକୁ ପ୍ରତ୍ୟାହାର ନକରି ଧରି ରଖିଛି ତାହା ବୁଝାପଡୁନାହିଁ । ଏହା କ’ଣ ଓଡ଼ିଆଙ୍କ ପ୍ରତି ହତାଦାର ନୁହେଁ କି ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।