ପ୍ୟାରିସ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ

ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି ମନୁ ଭାକର।

ପ୍ରଥମ ମେଡାଲ ଆଣିଦେଲେ ସୁଟର ମନୁ ଭାକର

ଫ୍ରାନ୍ସ, ୨୮/୦୭: ରବିବାର ପ୍ୟାରିସ ଅଲିମ୍ପିକ୍ସରେ ପଦକର ଖାତା ଖୋଲିଲା ଭାରତ। ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ସୁଟିଂରେ ପଦକ ହାତେଇଲା ଭାରତ। ଭାରତ ପାଇଁ ପ୍ରଥମ ମେଡାଲ ଆଣିଦେଲେ ମନୁ ଭାକର। ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି ମନୁ ଭାକର। ହରିୟାଣାର ଏହି ୨୨ ବର୍ଷୀୟା ଖେଳାଳି ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ଅଭିନବ ବିନ୍ଦ୍ରା, ରାଜ୍ୟବର୍ଦ୍ଧନ ସିଂ ରାଠୋର, ବିଜୟ କୁମାର ଏବଂ ଗଗନ ନାରଙ୍ଗଙ୍କ ପରେ ମନୁ ମାତ୍ର ପଞ୍ଚମ ଶୁଟର ଭାବେ ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିଛନ୍ତି।

କୋରିଆର ଓହ ୟେ ଜିନ୍ ମୋଟ ୨୪୩.୨ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯାହା ଅଲିମ୍ପିକ୍ସରେ ଏକ ନୂଆ ରେକର୍ଡ ହାତେଇଛନ୍ତି। ସେହିପରି କୋରିଆର କିମ୍ ୟେଜି ମୋଟ ୨୪୧.୩ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିବା ବେଳେ ଭାରତର ମନୁ ଭାକର ମୋଟ ୨୨୧.୭ ସ୍କୋର ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।