ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲା ବିରୋଧୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ।

ଶୂନ୍ୟକାଳରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ତାରା

ଭୁବନେଶ୍ବର, ୨୯/୦୭: ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ଦଳ। ମୁଖ୍ୟମନ୍ତ୍ରୀଙ୍କ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ। ବିଧାନସଭାର ଶୂନ୍ୟକାଳରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଗତ ୨୪ ତାରିଖରେ ଗୃହ ଚାଲିଥିବା ସମୟରେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବାହାରେ ଘୋଷଣା କରିଥିଲେ। ସଂସଦୀୟ ନିୟମ ଅନୁସାରେ, ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଘୋଷଣା କରାଯିବାର ନିୟମ ରହିଛି। ହେଲେ, ମୁଖ୍ୟମନ୍ତ୍ରୀ ଏହି ନିୟମ ଭଙ୍ଗ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ଏବଂ ନୂଆ ପରମ୍ପରା ସୃଷ୍ଟି କରାଯାଇଛି ବୋଲି କହିବା ସହ ଗୃହ ଚାଲିବା ବେଳେ ମୁଖ୍ୟମନ୍ତ୍ରୀ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କରିବା କେତେ ଦୂର ଠିକ୍? ଗୃହରେ ନକରି ଏ ନେଇ ସଚିବାଳୟଠାରେ ଘୋଷଣା କରିବାର ମାନେ କ’ଣ ବୋଲି ପ୍ରଶ୍ନ କରିଛନ୍ତି ତାରା।

ସେହିପରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗୃହ ଚାଲିବା ସମୟରେ ଯାହା ବି ସରକାରୀ ଯୋଜନା ଘୋଷଣା କରାଯିବ ଗୃହର ବିଶ୍ୱାସକୁ ନେଇ ଗୃହରେ ପ୍ରଥମେ ଘୋଷଣା କରାଯିବା ଦରକାର। ତେଣୁ ଏହି ନିୟମ ଉଲ୍ଲଂଘନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦିଆଯାଇଛି। ସ୍ୱାଧୀକାର କମିଟିକୁ ଏହି ପ୍ରସଙ୍ଗ ନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ମୋହନ ମାଝୀ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ସରକାର ଗଢିଛନ୍ତି। ଭୁଲ ମଧ୍ୟ ବାରମ୍ବାର ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଭୁଲକୁ ସ୍ୱୀକାର କରି ଗୃହରେ କ୍ଷମା ଭିକ୍ଷା କରନ୍ତୁ ବୋଲି ପ୍ରମିଳା ଦାବି କରିଛନ୍ତି।