ସହିଦ ମାଧୋ ସିଂହଙ୍କ ଉପରେ ବିବାଦୀୟ ବୟାନ ଦେଇଥିବାରୁ କ୍ଷମା ମାଗିଲେ ସୁର

ସୁରଙ୍କ ଗିରଫ ଦାବିରେ ପଦ୍ମଶ୍ରୀ ହଳଧର ନାଗଙ୍କ ଆନ୍ଦୋଳନ

ଭୁବନେଶ୍ୱର, ୨୯/୦୭: ଗଣମାଧ୍ୟମ ସାମନାରେ କ୍ଷମା ମାଗିଲେ ପୂର୍ବତନ କଂଗ୍ରେସ ବିଧାୟକ ସୁର ରାଉତରାୟ। ଗତ ରାଜ୍ୟ କ୍ୟାବିନେଟ ବୈଠକରେ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂହଙ୍କ ନାମରେ ଏକ ଯୋଜନା ଆଣିଥିଲେ ରାଜ୍ୟ ସରକାର। ରାଜ୍ୟ ସରକାର ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ସୁବିଧା ପାଇଁ ହାତ ଖର୍ଚ୍ଚ ପାଇଁ ଏହି ଯୋଜନା ଆଣିଥିଲେ। କିନ୍ତୁ ଏହା ପରେ ମାଧୋ ସିଂହ କିଏ ବୋଲି ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ ସୁର ରାଉତରାୟ। ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ସୁର ରାଉତରାୟଙ୍କ ବିରୋଧରେ ଦେଖା ଦେଇଥିଲା ପ୍ରତିବାଦ। ଯାହାକୁ ନେଇ କ୍ଷମା ମାଗିଛନ୍ତି ସୁର ରାଉତରାୟ।

ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂହଙ୍କ ଉପରେ ଦେଇଥିବା ସୁର ରାଉତରାୟଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ ପଦ୍ମଶ୍ରୀ ହଳଧର ନାଗ। ପଦ୍ମଶ୍ରୀ ହରଧର ନାଗ ସୁର ରାଉତରାୟଙ୍କ ତୁରନ୍ତ ଗିରଫ ଦାବିରେ ଧାରଣାରେ ବସିଥିଲେ ଓ କହିଥିଲେ ଯେ, ପୂର୍ବତନ ବିଧାୟକ ସୁର ରାଉତରାୟ କେବଳ ପୂର୍ବତଟକୁ ଓଡ଼ିଶା ବୋଲି ଭାବନ୍ତି। ଗୋଟିଏ ପରିବାରର ୫ ଜଣ ସଦସ୍ୟ ସ୍ୱାଧୀନତା ସଂଗ୍ରାମରେ ଏକାଥରକେ ଝାସ ଦେଇ ନିଜ ଜନ୍ମମାଟିକୁ ଅମର କରିଛନ୍ତି। ତେଣୁ ତାଙ୍କ ବିଷୟରେ ଏପରି ମନ୍ତବ୍ୟ ଦେବା ସମ୍ପୁର୍ଣ୍ଣ ଭୁଲ ବୋଲି କହିଥିଲେ ହଳଧର।

ସୁର ରାଉତରାୟଙ୍କ ବିରୋଧରେ ଆନ୍ଦୋଳନ ଜୋର ଧରିବା ପରେ କ୍ଷମା ମାଗିଛନ୍ତି ସୁର। ସୁର କହିଛନ୍ତି, ମୁଁ ତାଙ୍କୁ ଜାଣିନଥିବା କହିଥିବାରୁ ଭୁଲ ମାଗୁଛି। ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ସମସ୍ତ ସ୍କୁଲ, କଲେଜ ସହ ସାଧାରଣ ଜନତାଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି ସୁର କହିଥିଲେ।

ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂହ ୧୭୮୬ ମସିହାରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ମାଧୋ ସିଂହ ବରଗଡ଼ ଜିଲ୍ଲାର ଘେସ ଅଞ୍ଚଳର ବିଂଝଲ ଜମିଦାର ଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଲଢ଼ିବା ସହ ଇଂରେଜ ମାନଙ୍କ ବିରୋଧରେ ଲଢ଼େଇ କରିଥିବାରୁ ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ୭୨ ବର୍ଷ ବୟସରେ ସମ୍ବଲପୁରର ଜେଲ ଛକରେ ତାଙ୍କୁ ଫାଶୀ ଦିଆଯାଇଥିଲା।