ସଂସଦରେ ‘ଭାରତୀୟ ବାୟୁଯାନ ବିଧେୟକ, ୨୦୨୪’ ବିଲ୍ ଆଗତ

ହିନ୍ଦୀ ଉଚ୍ଚାରଣକୁ ବିରୋଧ କଲେ ସାଂସଦ ଏନ୍ କେ ପ୍ରେମଚନ୍ଦ୍ରନ୍

ନୂଆଦିଲ୍ଲୀ, ୩୧/୦୭: ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସଂସଦରେ ଭାରତୀୟ ବାୟୁୟାନ ବିଧେୟକ, ୨୦୨୪ ବିଲ୍ ଆଗତ କରିଥିଲେ। ଦେଶରେ ବିମାନ ଚଳାଚଳ ନିୟମରେ ସଂଶୋଧନ ଏବଂ ବ୍ରିଟିଶ ଯୁଗର ଏୟାରକ୍ରାଫ୍ଟ ଆକ୍ଟ, ୧୯୩୪ର ପରିବର୍ତ୍ତନ କରି ଭାରତୀୟ ବାୟୁୟାନ ବିଧେୟକ, ୨୦୨୪ ବିଲ୍ ଆଗତ ହେବା ପରେ ଏହାର ହିନ୍ଦୀ ନାମକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। ରିଭୋଲ୍ୟୁସନରୀ ସୋଶାଲିଷ୍ଟ ପାର୍ଟି ସାଂସଦ ଏନ୍ କେ ପ୍ରେମଚନ୍ଦ୍ରନ୍ ସଂସଦରେ ପାରିତ ହେଉଥିବା ବିଲ୍ ଗୁଡ଼ିକ ଇଂରାଜୀରେ ହେବା ଉଚିତ ବୋଲି ଦର୍ଶାଇ ଏହାକୁ ବିରୋଧ କରିଥିଲେ।

ସାଂସଦ ପ୍ରେମଚନ୍ଦ୍ରନ କହିଥିଲେ, ଏହି ବିଲ୍ ସମ୍ବିଧାନର ଧାରା ୩୪୮ ୧ବି, ୧୨୦ ଓ ୩୪୦ର ଉଲ୍ଲଂଘନ କରୁଛି। ଏହି ବିଲ୍ ସରକାରୀ ଭାଷା ଆଇନର ଧାରା ୩ ବିରୋଧରେ ଯାଉଛି। ମୂଳ ବିଲର ନାମ ଏୟାରକ୍ରାଫ୍ଟ ବିଲ୍, ୧୯୩୪ ଥିଲା। ଏହି ବିଲର ନାମ ଇଂରାଜୀରେ ରହିଛି। କିନ୍ତୁ ସରକାର ଏହି ବିଲର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଯାହା ଦକ୍ଷିଣ ଭାରତୀୟମାନଙ୍କ ପାଇଁ ଭାରତୀୟ ବାୟୁୟାନ ବିଧେୟକ ଉଚ୍ଚାରଣ କରିବା ବହୁତ କଷ୍ଟକର ହୋଇପଡିବ। ଏହି ବିଲର ନାମ ପରିବର୍ତ୍ତନ କରିବା ପଛରେ କ’ଣ କାରଣ ରହିଛି ବୋଲି ପ୍ରଶ୍ନ କରିବା ସହ ସମ୍ବିଧାନରେ ବିଲର ଭାଷା ଇଂରାଜୀରେ ରହିବା ପାଇଁ ପ୍ରାସଙ୍ଗିକ ବ୍ୟବସ୍ଥା ରହିଛି ବୋଲି କହିଥିଲେ ପ୍ରେମଚନ୍ଦ୍ରନ।

ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରାମମୋହନ ନାଇଡୁ କହିଥିଲେ, ବ୍ରିଟିଶ ଶାସନ କାଳରେ ଅଣା ଯାଇଥିବା ଏହି ଏୟାରକ୍ରାଫ୍ଟ ବିଲ୍ ୧୯୩୪ର ନାମ ପରିବର୍ତ୍ତନ ହେଲେ, କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହେବ ନାହିଁ। ବରଂ ଭାରତର ଏକ ନୂତନ ପରିଚୟ ସୃଷ୍ଟି ହେବ।