କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ

ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବାଲେଶ୍ୱର ଡିଭିଜନ ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ।

୮୫ ପ୍ଲଟ, ସୁନା ବିସ୍କୁଟ, ନଗଦ ୧୧ ଲକ୍ଷ ଟଙ୍କା ଠାବ

ବାଲେଶ୍ୱର, ୦୨/୦୮: ଶେଷରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦୁର୍ନୀତି ଖୋର ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବାଲେଶ୍ୱର ଡିଭିଜନ ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବାଲେଶ୍ୱର ଓ ଜଳେଶ୍ଵର ସମେତ ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ବହୁ ସମ୍ପତ୍ତି ଠାବ ହେଲାଣି।

ଆଜି ସକାଳୁ ଭିଜିଲାନ୍ସର ୯ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ବାଲେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏକକାଳୀନ ସବୁ ସମ୍ପତ୍ତିରେ ଚଢ଼ାଉ କରାଯାଉଛି।

ପ୍ରମୋସନ ପାଇଥିଲେ ଯନ୍ତ୍ରୀ। ଆଉ ୪ ଦିନ ପରେ ଆନନ୍ଦପୁର ବୈତରଣୀ ବ୍ୟାରେଜ ଡିଭିଜନକୁ ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇ ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ହିଁ ରେଡ୍ କଲା ଭିଜିଲାନ୍ସ। ଭିଜିଲାନ୍ସ ଚଢାଉରେ ଆଖି ଖୋସି ଦେଲା ଭଳି ସମ୍ପତ୍ତି ଠାବ ହେଲାଣି। ଏଯାବତ୍ ମିଳିଲାଣି ୮୫ ପ୍ଲଟ। କେବଳ ଜଳେଶ୍ୱରରେ ରହିଛି ୮୦ ପ୍ଲଟ। ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି। ଗୋଟିଏ ୫ ମହଲା କୋଠା ଓ ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ମିଳିଛି। ଏହା ବ୍ୟତୀତ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ଏବଂ ୨୧୮ ଗ୍ରାମ ସୁନା ସହ ଗୋଟିଏ ସୁନା ବିସ୍କୁଟ ଜବତ କରାଗଲାଣି। ଆହୁରି ସମ୍ପତ୍ତି ଠାବ ହେବା ନେଇ ଅନୁମାନ କରାଯାଇଛି।