ଯୁଦ୍ଧ ଆଡକୁ ମୁହାଁଉଛି ମଧ୍ୟପ୍ରାଚ୍ୟ

ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ତେଲ ଆଭିଭକୁ ବିମାନ ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୦୨/୦୮: ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଉତ୍ତେଜନା। ଖୁବ ଶୀଘ୍ର ଯୁଦ୍ଧ ଆଡକୁ ମୁହାଁଇବ ମଧ୍ୟପ୍ରାଚ୍ୟ। ହମାସର ସର୍ବୋଚ୍ଚ ନେତା ଇସମାଇଲ ହାନିୟାଙ୍କୁ ଇସ୍ରାଏଲ ସେନା ଇରାନର ରାଜଧାନୀ ତେହରାନରେ ଏୟାର ଷ୍ଟ୍ରାଇକ କରି ହତ୍ୟା କରିବା ପରେ ଇରାନ ସହ ଇସ୍ରାଏଲର ଯୁଦ୍ଧ ମଧ୍ୟପ୍ରାଚ୍ୟ ସଂଘର୍ଷରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ହାନିୟାଙ୍କ ହତ୍ୟା ପଛରେ ଇସ୍ରାଏଲର ହାତ ଥିବା ହମାସ ଓ ଇରାନ କହିଥିବା ବେଳେ ଇସ୍ରାଏଲ ପକ୍ଷରୁ ଏଯାଏଁ ସ୍ପଷ୍ଟତା ପ୍ରକାଶ ପାଇନାହିଁ।

ସେପଟେ ଇରାନ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ବୈଠକ ପରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି। ଏହା ପରେ ଯେକୌଣସି ସମୟରେ ଯୁଦ୍ଧର ମୁକାବିଲା କରିବା ପାଇଁ ଇସ୍ରାଏଲ ହାଇ ଆଲର୍ଟରେ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଯୁଦ୍ଧକୁ ଏଡ଼ାଇବା ପାଇଁ ଆମେରିକା ମଧ୍ୟ ପଦକ୍ଷେପ ନେଇଛି। ସହଯୋଗୀ ରାଷ୍ଟ୍ର ଉପରେ ଇରାନ ଆକ୍ରମଣ କଲେ ତା’ର ଜବାବ ଦେବାକୁ ଆମେ ପ୍ରସ୍ତୁତ ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।

ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଭାରତ ଏହି ଦେଶ ଗୁଡ଼ିକରେ ଥିବା ନିଜ ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରୁଛି। ଏହି ଦେଶ ଗୁଡ଼ିକରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛି। ଏହା ବାଦ ଭାରତ ଇସ୍ରାଏଲକୁ ବିମାନ ଉଡାଣ ମଧ୍ୟ ଆଜିଠୁ ବନ୍ଦ କରିଛି। ଏୟାର ଇଣ୍ଡିଆ ଇସ୍ରାଏଲର ତେଲ ଆଭିଭକୁ ବିମାନ ଉଡ଼ାଣ ସ୍ଥଗିତ ରଖିଛି। ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆ ପ୍ରତି ସପ୍ତାହରେ ଦିଲ୍ଲୀରୁ ତେଲ ଆଭିଭକୁ ୪ଟି ବିମାନ ଚଳାଚଳ କରିଥାଏ। କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଉଡାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି। ସେହିପରି ଇସ୍ରାଏଲରୁ ଭାରତକୁ ଫେରିବାକୁ ଥିବା ଯାତ୍ରୀଙ୍କ ଟିକେଟ ମଧ୍ୟ ରଦ୍ଦ କରାଯାଇଛି।