ଆଜି ଓଡ଼ିଆ ସାମ୍ବାଦିକତା ଦିବସ

ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୪/୦୮: ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ। ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ସାମ୍ବାଦିକତା। ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ପ୍ରତିଟି ଖବର ପହଞ୍ଚାଇବା ପାଇଁ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ।

୧୮୬୬ ମସିହାରେ ଆସିଥିଲା ଓଡ଼ିଆ ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ନୂଆ ଯୁଗ। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’। କର୍ମବୀର ଗୌରୀଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସ ମିଳିତ ଭାବେ କଟକରୁ ଏକ ସାପ୍ତାହିକ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ଆରମ୍ଭ କରିଥିଲେ। ସେବେଠାରୁ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି ହୋଇଛି। ସମାଜର ପ୍ରତ୍ୟେକ ସମସ୍ୟାକୁ ନିରପେକ୍ଷ ଭାବରେ ଖବରକାଗଜ ଦ୍ୱାରା ଉପସ୍ଥାପନା କରିବା ଥିଲା ମୁଳ ଉଦ୍ଦେଶ୍ଯ। ଏହା ପର ଠାରୁ ଅଗଷ୍ଟ ୪ ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ପ୍ରତିଟି ସୁଖ ଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’କୁ ମୁଦ୍ରିତ କରିଥିଲେ କର୍ମବୀର ଗୌରୀଶଙ୍କର ରାୟ । ‘ଉତ୍କଳ ଦୀପିକା’ର ପ୍ରକାଶନରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ସମ୍ବାଦିକତାର ଯାତ୍ରା।”