ଦୁଷ୍କର୍ମକାରୀ ଘରେ ବୁଲିଲା ବୁଲଡୋଜର

ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ଅଯୋଧ୍ୟା, ୦୪/୦୮: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତର ଘରେ ବୁଲିଲା ବୁଲଡୋଜର। ଘଟଣା ଘଟିବାର ୧୨ ବର୍ଷ ପରେ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ। ଏଭଳି ଏକ ଘଟଣା ସାମନାକୁ ଆସିଛି ଉତ୍ତରପ୍ରଦେଶର ଅଯୋଧ୍ୟାରୁ।

ଗତ ୧୨ ବର୍ଷ ତଳେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ମୋଇଦ ଖାନ। ତେବେ ୧୨ ବର୍ଷ ଭିତରେ ରାଜନୀତି କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରିଥିଲେ ମୋଇଦ ଖାନ। ସମାଜବାଦୀ ପାର୍ଟିର ଶକ୍ତିଶାଳୀ ବ୍ୟକ୍ତିତ୍ୱ ତଥା ଭଦ୍ରସା ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ରସିଦଙ୍କ ବାପା ମହମ୍ମଦ ଅହମ୍ମଦ ସହ ସଂସ୍ପର୍ଶରେ ଆସିଥିଲେ। ୨୦୧୨ରେ ମହମ୍ମଦ ଅହମ୍ମଦଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ଉପଯୋଗ କରି ମୋଇଦ ଖାନ୍ ସମାଜବାଦୀ ପାର୍ଟିର ମ୍ୟୁନିସିପାଲିଟି ଅଧ୍ୟକ୍ଷ ହୋଇଥିଲେ।

ଏହା ପରେ ବହୁ ଅନ୍ୟାୟ ଅନୀତିର ଚିଠା ଲମ୍ବାଇ ଚାଲିଥିଲେ ମୋଇଦ। ଏଭଳି ପ୍ରଭାବ ଯୋଗୁଁ ସ୍ଥାନୀୟ ସରକାର ଓ ପ୍ରଶାସନକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରୁ ବଞ୍ଚିତ କରିଥିଲା। ତେବେ ଦୁଷ୍କର୍ମ ଘଟଣାର ତଦନ୍ତ କରାଯାଇ ମୋଇଦ ଖାନଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇଥିଲା। ଏବେ ଗିରଫ କରାଯିବା ପରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଛି ଆହୁରି କଡା କାର୍ଯ୍ୟାନୁଷ୍ଠାନ। ରାଜନୀତିରେ ସମ୍ପୃକ୍ତ ଥିବା ବେଳେ ସହଯୋଗୀ ଅହମ୍ମଦଙ୍କ ସୁରକ୍ଷାରେ ମୋଇଦ ସରକାର ଓ ଗରିବ ଲୋକଙ୍କ ଜମି ଜବରଦଖଲ କରିବା ଆରମ୍ଭ କରିଥିଲେ। ମୋଇଦଙ୍କ ଗିରଫଦାରୀ ପରେ କିଛି ଗରିବ ବ୍ୟକ୍ତି ମୋଇଦଙ୍କ ବିରୁଦ୍ଧରେ ଜୋର ଜବରଦସ୍ତ ଜମି ଜବରଦଖଲ କରିଥିବା ଅଭିଯୋଗ ଆଣିଥିଲେ। ଏବେ ମୋଇଦଙ୍କ ସହ ଜଡ଼ିତ ଥିବା ବିଭିନ୍ନ ସମ୍ପତ୍ତିକୁ ଭାଙ୍ଗିବା ଆରମ୍ଭ କରାଯାଇଛି। ସରକାରୀ ଜମିକୁ ବେଆଇନ ଜବରଦଖଲକୁ ଏବେ ଉଚ୍ଛେଦ କରାଯାଉଛି। ସେହିପରି ମୋଇଦଙ୍କ ବିରୋଧରେ ଦଙ୍ଗା ସୃଷ୍ଟି ଓ ହତ୍ଯା ଉଦ୍ୟମ ଭଳି ଅଭିଯୋଗ ମଧ୍ୟ ରହିଛି।