ଆଳୁ ନଦେଲେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯିବନି ଖାଦ୍ୟ ସାମଗ୍ରୀ

ପ୍ରତିବାଦ କରି ଗାଡି ଅଟକାଇଲେ ଲୋକେ

କଟକ, ୯/୮: ଓଡ଼ିଶାରେ ଆଳୁ ଦଳ ବୃଦ୍ଧି ପାଇବାକୁ ନେଇ ଲୋକଙ୍କ ମଧ୍ୟରେ ଦେଖା ଦେଉଛି ଅସନ୍ତୋଷ। ଗତ କିଛି ଦିନ ଧରି ଆଳୁ ସମସ୍ୟା ପରିଲକ୍ଷିତ ହେଉଛି ରାଜ୍ୟରେ। ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବା ବେଳେ ଓଡିଶାରେ ଥିବା ଆଳୁର ଦାମ ତୁହା କୁ ତୁହା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ କେତେକ ବଜାରରେ ଆଳୁ ସମ୍ପୂର୍ଣ୍ଣ ଉଭାନ ହୋଇ ଯାଇଥିବା ବେଳେ ଯେଉଁଠି ଅଛି, ସେଠାରେ ଆଳୁ କିଲୋ ପିଛା ୬୦ରୁ ୭୦ ଟଙ୍କା ରହିଛି। ଏହାକୁ ନେଇ ଖାଉଟି ମହଲରେ କ୍ଷୋଭ ପ୍ରକାଶ ପାଇଛି। ଓଡ଼ିଶା ସରକାର ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣିବା ପାଇଁ ଚେଷ୍ଟା କରୁଥିବା ବେଳେ କୌଣସି ସମସ୍ୟାର ସମାଧାନ ହୋଇ ପାରୁନି। ଏ ନେଇ ଆଜି ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ବୋଝେଇ ଟ୍ରକକୁ ଅଟକାଇ ପ୍ରତିବାଦ କରିଛନ୍ତି।

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଅଣ୍ଡା ଓ ମାଛ ନେଇ ଯାଉଥିବା ଟ୍ରକଗୁଡ଼ିକୁ କଟକର ମୁଣ୍ଡଳିସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ସ୍ଥାନୀୟ ଲୋକେ ଅଟକାଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ। ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଆସିବାକୁ ଅନୁମତି ନଦେଲେ ମାଛ ଓ ଅଣ୍ଡା ବୋଝେଇ ଟ୍ରକକୁ ଅନୁମତି ଦିଆଯିବ ନାହିଁ ବୋଲି କହି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଟ୍ରକକୁ ଅଟକାଇଛନ୍ତି। ଆଜିଠୁ ଶାନ୍ତିପୂର୍ଣ୍ଣ ଭାବେ ଗାଡିକୁ ଅଟକାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିକ୍ଷୋଭକାରୀ।