ସ୍ୱାଧୀନତା ଦିବସ ପୂର୍ବରୁ ବଡ ଆତଙ୍କୀ ହାମଲା ଯୋଜନା ପଣ୍ଡ

ସ୍ୱାଧୀନତା ଦିବସ ଅବସରରେ ଏକ ମନୋଜ୍ଞ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା ଆତଙ୍କୀ ସଙ୍ଗଠନ।

ଏନ୍ଆଇଏର ମୋଷ୍ଟ ୱାଣ୍ଟେଡ଼ ଆତଙ୍କୀ ରିଜୱାନ ଗିରଫ

ନୂଆଦିଲ୍ଲୀ, ୯/୮: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କବଜାରେ ଆତଙ୍କୀ। ଆଇଏସ୍ଆଇଏସର କୁଖ୍ୟାତ ଆତଙ୍କୀ ରିଜୱାନ ଅବଦୁଲ ହାଜି ଅଲ୍ଲୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପୁଣେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍) ମଡ୍ୟୁଲର ପ୍ରମୁଖ ସଦସ୍ୟ ରିଜୱାନ ଅବଦୁଲ ହାଜି ଅଲ୍ଲୀ। ରିଜୱାନ ସହ ଆଇଏସ୍ଆଇଏସ୍ ପୁଣେ ସଂଗଠନର ଅନ୍ୟ କିଛି ସଦସ୍ୟ ମଧ୍ୟ ଗିରଫ ହୋଇଛନ୍ତି।

ଏନ୍ଆଇଏର ମୋଷ୍ଟ ୱାଣ୍ଟେଡ଼ ଆତଙ୍କୀ ଲିଷ୍ଟରେ ଥିଲା ରିଜୱାନ। ରିଜୱାନ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ରିଜୱାନକୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଥିଲା। ଦିଲ୍ଲୀ ଦରିଆଗଞ୍ଜର ବାସିନ୍ଦା ଆତଙ୍କୀ ରିଜୱାନର ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଆଗକୁ ସ୍ୱାଧୀନତା ଦିବସ ପାଳନ ହେବାକୁ ଥିବା ବେଳେ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ସେହିପରି ଦିଲ୍ଲୀ ଓ ମୁମ୍ବାଇର ଅନେକ ହାଇ-ପ୍ରୋଫାଇଲ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଟାର୍ଗେଟ କରିଥିଲା ରିଜୱାନ। ଏହା ପରଠୁ ସେ ଏନ୍ଆଇଏ ଟାର୍ଗେଟରେ ଥିଲା। ସ୍ୱାଧୀନତା ଦିବସ ପୂର୍ବରୁ ରିଜୱାନକୁ ଦରିଆଗଞ୍ଜ ଅଞ୍ଚଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ କ୍ଷତିକାରକ ରାସାୟନିକ ପଦାର୍ଥ ସହିତ ଗିରଫ କରାଯାଇଛି। ରିଜୱାନ ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଆଇଇଡି ଟେଷ୍ଟିଂ କରିଥିଲା।

ଗତ ବର୍ଷ ଜୁଲାଇ ମାସରେ ଏନ୍ଆଇଏ ମହାରାଷ୍ଟ୍ରର ପୁଣେରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ଆଇଏସ୍ଆଇଏସ୍ ପତ୍ରିକା ଇତ୍ୟାଦି ଜବତ କରିଥିଲା। ଏହି ମାମଲାରେ ପୋଲିସ ପ୍ରଥମେ ୧୩ ଜଣଙ୍କ ନାମରେ ଚାର୍ଜସିଟ୍ ଫାଇଲ କରିଥିବା ବେଳେ ଚଳିତବର୍ଷ ମାର୍ଚ୍ଚ ମାସରେ ଉକ୍ତ ମାମଲାରେ ଆଉ ୩ ଜଣଙ୍କ ନାମରେ ସପ୍ଲିମେଣ୍ଟାରି ଚାର୍ଜସିଟ୍ ହୋଇଥିଲା। ଏବଂ ସେଥିରେ ରିଜୱାନଙ୍କ ନାମ ବି ସାମିଲ ଥିଲା।