ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି: ପରିବହନ ମନ୍ତ୍ରୀ

ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୯/୮: ବିଜେଡିର ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବରୁ ଥିବା ୫-ଟି ବ୍ୟବସ୍ଥାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ଖର୍ଚ୍ଚକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପାଣ୍ଡିଆନ ହେଲିକପ୍ଟରରେ ଗସ୍ତ କରିଥିବାର ଖର୍ଚ୍ଚକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଖୁବ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଯଦି ଜଣେ ସର୍ବସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ତାହାଲେ ଏହା କେବେ ଗ୍ରହଣଯୋଗ୍ୟ ନୁହେଁ। ଆମ ସରକାର ଏ କଥାକୁ ପୂରା ନଜରରେ ରଖିଛି। ଆମ ସରକାରଙ୍କ ପ୍ରାଥମିକତା ହେଉଛି ଶୂନ୍ୟ ଦୁର୍ନୀତି। ତେଣୁ ତଦନ୍ତ ଚାଲିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲିକପ୍ଟରକୁ କୌଣସି ବ୍ଯକ୍ତି ବ୍ୟବହାର କରିବା ପାଇଁ ତା’ର ଏକ ବିଧି ରହିଛି। ଏହାର ଉଲ୍ଲଂଘନ ହେଲେ, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ। ତେଣୁ ଏହି ଘଟଣାର ଆଉ ପୁନରାବୃତ୍ତି ନ ହେଉ ସେ ପ୍ରତି ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରାଜକୋଷର ଦୂରୁପଯୋଗ କରିଥିବା ପୂର୍ବରୁ ଅଭିଯୋଗ ଆସିଛି। ତେଣୁ ଯିଏ ଦୋଷ କରିଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ଲୋକମାନେ ମଧ୍ୟ ଅପେକ୍ଷା କରିଛନ୍ତି।

ବିଜେଡି ସରକାରରେ ଥିବା ବେଳେ ନିର୍ବାଚନ ସମୟରେ ପାଣ୍ଡିଆନ ହେଲିକପ୍ଟରରେ ଘନଘନ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ସେଠାରେ ଜନ ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କ ସମ୍ବୋଧିତ କରୁଥିଲେ। ନିର୍ବାଚନ ସମୟରେ ଏହାକୁ ନେଇ ଏକ ମୁଖ୍ୟ ପ୍ରସଙ୍ଗ କରିଥିଲା ସେତେବେଳର ବିରୋଧୀ ଦଳ ବିଜେପି। ଏବେ ସରକାରକୁ ଆସିବା ପରେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ମନ୍ତ୍ରୀ।