ଶଙ୍ଖ ଭବନରେ ଧୁମଧାମରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଅଗଷ୍ଟ କ୍ରାନ୍ତି ଦିବସରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ।

ଶୁଭାରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର, ୯/୮: ଆଜି ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିଛି ବିଜୁ ଜନତା ଦଳ। ଆଦିବାସୀ ବାଦ୍ୟ ଓ ନୃତ୍ୟର ଆସର ଜମିଥିଲା ଶଙ୍ଖ ଭବନରେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ବିଶ୍ୱ ଆଦିବାସୀ ଦିବସ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନବୀନ ପଟ୍ଟନାୟକ ବିଶ୍ୱ ଜନଜାତି ଦିବସର ଶୁଭେଚ୍ଛା ଜଣାଇବା ସହ ଆଜି ଅଗଷ୍ଟ କ୍ରାନ୍ତି ଦିବସ ହୋଇଥିବାରୁ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ନବୀନ ପଟ୍ଟନାୟକ କହିଥିଲେ, ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି। ଆମ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଆଦିବାସୀ ଅଟନ୍ତି। ଆମ ଓଡ଼ିଶାରେ ୬୪ ପ୍ରକାର ଆଦିବାସୀ, ଏବଂ ୧୩ ପ୍ରକାର ପିଭିଟିଜି ଜନଜାତି, ଭାଇଭଉଣୀ ବାସ କରନ୍ତି। ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ମୁଁ ବହୁତ ଖୁସି ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲାରେ ଭଗବାନ ବିର୍ଶାମୁଣ୍ଡା ହକି ଷ୍ଟାଡିୟମ ବିଜେଡି ସରକାର କରିଛି। ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥ‍ିଲା। ଏହା ଥିଲା ସାରା ଦେଶରେ ନୂଆ। ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର ବା ଜୀବିକାର ସୁରକ୍ଷା ବା ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଏସବୁ କାମ ବିଜେଡି ସରକାର ସମୟରେ ହିଁ ହୋଇଛି।

ଶିକ୍ଷା ଓ ଜୀବିକାର ବିକାଶ ସେମାନଙ୍କ ସଶକ୍ତିକରଣ ପାଇଁ ଖୁବ ଜରୁରୀ। ଦୀର୍ଘ ଦିନ ଧରି କେନ୍ଦ୍ରରେ ପଡ଼ି ରହିଥିବା ଓଡ଼ିଶାର ଏସଟି ତାଲିକାରେ ୧୬୯ଟି ସମ୍ପ୍ରଦାୟକୁ ସାମିଲ କରିବାକୁ ବିଜେଡି ସରକାର ପ୍ରସ୍ତାବ ପଠାଇଥିଲେ। ଏତଦ୍ ବ୍ୟତୀତ ହୋ, ମୁଣ୍ଡାରୀ, ଭୂମିଜ ସଉରା ଆଦି ବିଭିନ୍ନ ଆଦିବାସୀ ଭାଷାକୁ ଆମ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ବିଜେଡି ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମୁଁ ଆଶା କରୁଛି ଯେ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ। ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଆମେ ଗର୍ବିତ। ସେମାନଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତା’ର ଉଦ୍ଦ୍ୟମ ଜାରି ରଖ‍ିବ ବୋଲି ନବୀନ କହିଥିଲେ।

ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟର ବିଜେଡ଼ି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ । ବିଜୁ ଜନତା ଦଳର ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଭିନ୍ନ ଭିନ ଗ୍ରୁପ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ଆଦିବାସୀ ଦିବସରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର (ଚେୟାରମ୍ୟାନ କୋର୍ଡ଼ିନେସନ କମିଟି, ବିଜେଡ଼ି), ଶ୍ରୀ ସନ୍ତୃପ୍ତ ମିଶ୍ର (ପଲିଟିକାଲ ସେକ୍ରେଟାରୀ, ସଭାପତି, ବିଜୁ ଜନତା ଦଳ), ଶ୍ରୀ ସୁଦାମ ମାରାଣ୍ଡି (ପୂର୍ବତନ ମନ୍ତ୍ରୀ), ଶ୍ରୀ ଜଗନ୍ନାଥ ସାରକା (ପୂର୍ବତନ ମନ୍ତ୍ରୀ), ଶ୍ରୀ ସୁଶାନ୍ତ ରାଉତ (ବିଧାୟକ, ଭୁବନେଶ୍ୱର ଉତ୍ତର), ଶ୍ରୀ ଅନନ୍ତ ନାରାୟଣ ଜେନା (ବିଧାୟକ, ଭୁବନେଶ୍ୱର ମଧ୍ୟ), ଶ୍ରୀ ଅଶୋକ ପଣ୍ଡା (ପୂର୍ବତନ ମନ୍ତ୍ରୀ), ଶ୍ରୀମତୀ ସୁଲୋଚନା ଦାସ (ମେୟର, ଭୁବନେଶ୍ୱର), ଶ୍ରୀମତୀ ମଞ୍ଜୁଲତା କହଁର (ଡେପୁଟି ମେୟର, ଭୁବନେଶ୍ୱର), ଶ୍ରୀ ସାନନ୍ଦ ମାରାଣ୍ଡି (ପୂର୍ବତନ ଉପବାଚସ୍ପତି), ଶ୍ରୀ ଦେବାଶିଷ ମାରାଣ୍ଡି (ବିଜେଡ଼ି ବିଧାୟକ ପ୍ରାର୍ଥୀ, ସାରସକଣା), ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ (ପୂର୍ବତନ ମନ୍ତ୍ରୀ), ଶ୍ରୀ ମାଧବ ସର୍ଦ୍ଦାର (ପୂର୍ବତନ ସାଂସଦ), ଶ୍ରୀ ଜିନ ହିକକା (ପୂର୍ବତନ ସାଂସଦ), ଶ୍ରୀମତୀ କୌଶଲ୍ୟା ହିକକା (ବିଜେଡ଼ି ସାଂସଦ ପ୍ରାର୍ଥୀ, କୋରାପୁଟ), ଚକ୍ରମଣି କହଁର (ବିଧାୟକ, ବାଲିଗୁଡ଼ା), ଶ୍ରୀ ଲେନିନ୍ ମହାନ୍ତି (ମିଡ଼ିଆ ସଂଯୋଜକ, ବିଜୁ ଜନତା ଦଳ), ଡକ୍ଟର ପ୍ରିୟବ୍ରତ ମାଝୀ (ମିଡ଼ିଆ ସଂଯୋଜକ, ବିଜୁ ଜନତା ଦଳ), ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର (ବିଜେଡ଼ି ସାଂସଦ ପ୍ରାର୍ଥୀ, ବାଲେଶ୍ୱର), ଶ୍ରୀ ତୁମ୍ବନାଥ ପଣ୍ଡା (ମୁଖପାତ୍ର, ବିଜୁ ଜନତା ଦଳ), ଶ୍ରୀ ମିହିର ରାୟ (ମୁଖପାତ୍ର, ବିଜୁ ଜନତା ଦଳ), ଶ୍ରୀ କାଶୀନାଥ ହେମ୍ବ୍ରମ (ସଭାପତି, ମୟୂରଭଞ୍ଜ ସଦର), ମନୋଜ ସାହୁ, ମିହିର ରାଉତ, ଅବଦତ୍ତ ସ୍ୱାଇଁ, ସବ୍ୟସାଚୀ ସାହୁ, ଶେଖ୍ ନୁର୍ ହସନ, ପୂଜା ବେହେରା, ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ମିନୁଶ୍ରୀ ଖୁଣ୍ଟିଆ, ବାସନ୍ତୀ ସିଂ, ସାଲଖାନ ମୁର୍ମୁ, ଖୋଲାନ ମାଝୀ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ସୁବାସ ପାତ୍ର, କାରୁ ମୁର୍ମୁ, ବିଦୁରାଜ ସୋରେନ, କରୁଣାକର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।