କୃଷକମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ର,ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ଗାଁକୁ ଯିବ କୃଷକ ମୋର୍ଚ୍ଚା: ମହେଶ୍ୱର ସାହୁ

“ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଭୁବନେଶ୍ୱର, ୯/୮: ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ବୁଲନଭାଇ ସେବାସଦନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଏସବୁ କୃଷକ କଲ୍ୟାଣକାରୀ ଯୋଜନାରେ ଚାଷୀର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ କୃଷି ଉତ୍ପାଦନ ଦ୍ରବ୍ୟରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିବ । ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ଧାନର କୁଇଂଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରିବା ସହ ରାଜ୍ୟର ସମସ୍ତ ୫୮ଟି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର କରିବା, ପ୍ରତି ବ୍ଲକରେ ପରିବା ମଣ୍ଡି ଖୋଲିବା ନିଷ୍ପତି, ପିଏମ୍ କିଷାନରେ ୬ ଲକ୍ଷ ଚାଷୀଙ୍କୁ ସାମିଲ କରି ସହରାଚଂଳ ଚାଷୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଓ ସମସ୍ତ ଚାଷ ଜମିକୁ ଉଠା ଜଳସେଚନ କରିବା ନିଷ୍ପତି ନେଇଛନ୍ତି । ଶ୍ରୀ ସାହୁ ଏହାକୁ ସ୍ୱାଗତ ଜଣାଇବା ସହ ମୋହନ ମାଝି ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ, ଚଳିତ ଥର କୃଷି ବଜେଟ୍ ପରିମାଣ ଗତ ସରକାରଙ୍କ ବଜେଟ୍ ଠାରୁ ୩୬% ଅଧିକ ବୃଦ୍ଧି କରାଯାଇଛି । ସ୍ୱାଧୀନତା ପରଠାରୁ କୌଣସି ସରକାର କୃଷକମାନଙ୍କ ହିତ ପାଇଁ ଏତେ ବଡ ବଜେଟ୍ କରି ନ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର କୁଇଂଟାଲ ପ୍ରତି ୧୦୦ ଟଙ୍କା ବୋନସ୍ ଦେବାକୁ ଘୋଷଣା କରିଥିଲେ କିନ୍ତୁ ତାଙ୍କ ସରକାର ଏହାକୁ କାର୍ଯ୍ୟକାରୀ କଲେନାହିଁ । ଅପରପକ୍ଷେ ବିଜେପି ସରକାର ଆସିବା ପରେ ଏହାର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରି ଐତିହାସିକ ପଦକ୍ଷେପ ନେଇଛି । ବିଜେଡି ସରକାର ଓଡ଼ିଶାର ୩୫% ଚାଷ ଜମିକୁ ଜଳସେଚିତ କରିବା ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ, କିନ୍ତୁ ୨୪ ବର୍ଷ ବିିତିଗଲା ପରେ ବି ୧ ପ୍ରତିଶତ ଜମିକୁ ମଧ୍ୟ ଜଳସେଚିତ କରିପାରିଲେ ନାହିଁ । ନବୀନ ସରକାର ସମୟରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଳଭଣ୍ଡାରରୁ ଶିଳ୍ପଗୁଡ଼ିକୁ ପାଣି ଯୋଗାଇଦେଲେ, ଏହାଦ୍ୱାରା ଚାଷୀମାନେ ଜଳାଭାବରୁ ଫସଲ ନଷ୍ଟର ଶିକାର ହୋଇଥିଲେ । ମାତ୍ର ଶ୍ରୀ ମାଝିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବା ପରେ ରାଜ୍ୟର ସମସ୍ତ ଜମିକୁ ଜଳସେଚିତ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏହି କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଆଗାମୀ ଦିନରେ ରାଜ୍ୟର ସମସ୍ତ ଗ୍ରାମଗୁଡ଼ିକରେ କୃଷକ ସମାବେଶ କରି ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବ । ଏଥିସହ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି” କାର୍ଯ୍ୟକ୍ରମ କରାଯିବ ।
କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ‘ହର ଘର ତ୍ରିରଙ୍ଗା’, ‘ମା’ପାଇଁ ଗଛଟିଏ’ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି ।
ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀମାନଙ୍କ ପାଖରେ ପହଂଚାଇବା ପାଇଁ କୃଷକ ମୋର୍ଚ୍ଚାର କାର୍ଯକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ଏଥିରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇ କହିଥିଲେ ଯେ, ଆମେ କାଲି ପର୍ଯ୍ୟନ୍ତ ବିରୋଧି ଦଳ ଆସନରେ ବସିଥିଲୁ । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଧାନ ମଣ୍ଡିରେ ଆନ୍ଦୋଳନ କରୁଥିଲୁ । ଆଜି କିନ୍ତୁ ଏଥିରେ ପରିବର୍ତନ ଘଟିଛି । ଭ୍ରଷ୍ଟ ଓ କୃଷକ ବିରୋଧି ସରକାରର ପତନ ଘଟିଛି । ବିଜେପି ସରକାର ଗଢ଼ିଛି । ୨୦୧୩ରେ ବିଜେଡି ସରକାର ସମୟରେ ଧାନର ସହାୟକ ମୂଲ୍ୟ ଯେତେବେଳେ ୧୨୮୦ ଟଙ୍କା ଥିଲା । ବିଜେଡି ସରକାର ସମୟରେ ମଣ୍ଡି ଗୁଡ଼ିକରୁ ଧାନ କୁଇଂଟାଲ ପ୍ରତି ୫ରୁ ୧୦ କିଲୋ କଟନିଛଟ୍‌ନି କରାଯାଉଥିଲା । ବର୍ତମାନ ମୋହନ ମାଝି ସରକାର ଏହାର ସମାଧାନ କରିଛନ୍ତି । ମୋହନ ସରକାର ଦେଉଥିବା ସୁବିଧା ସୁଯୋଗର ଚାଷୀ କିପରି ଲାଭ ଉଠାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯଦୁମଣି ପାଣିଗ୍ରାହୀ, ଶିଶିର କୁମାର ସାହୁ, ଉପେନ୍ଦ୍ର ଭଞ୍ଜ, ପୁଲିନ କୁମାର ପୁହାଣ, ହୃଷୀକେଶ ଜେନା, ହଳପାଣି ମାଝି, ବିଶ୍ୱଜିତ୍ ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ସୂର୍ଯ୍ୟ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ ।