ଏଡିଆର ଓ ଭିଏଫଡି ରିପୋର୍ଟ ଦେଶରେ ନିର୍ବାଚନ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି: ବିଜେଡି

୫୪୧ ଲୋକସଭା ଆସନ ମଧ୍ୟରୁ ୫୩୮ ଆସନରେ ବ୍ୟତିକ୍ରମ ପରିଲକ୍ଷିତ। ଭୋଟ ବ୍ୟତିକ୍ରମ ସୌଜନ୍ୟରୁ ୭୯ ଆସନରେ ବିଜେପିକୁ ଫାଇଦା।

ଓଡ଼ିଶାର ୨୧ ଲୋକସଭା ଆସନରୁ ୧୮ ଆସନରେ ବ୍ୟତିକ୍ରମ

ଭୁବନେଶ୍ୱର, ୦୯/୦୮: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିକଟରେ ଜାତୀୟ ସ୍ତରରେ ପ୍ରକାଶିତ ହୋଇଥିବା ଏଡିଆର ରିପୋର୍ଟ ଓ ଭଏସ ଫର ଡେମୋକ୍ରେସୀ ରିପୋର୍ଟ ଉପରେ ଆଲୋକପାତ କରି ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଥିଲେ ।

ସେ କହିଥିଲେ, ନିକଟରେ ଆସୋସିଏସନ ଫର ଡେମୋକ୍ରାଟିକ ରିପୋର୍ଟ ଓ ଭଏସ ଫର ଡେମୋକ୍ରେସି ପରି ଦୁଇ ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ଯେଉଁଥିରେ ଭୋଟ ଦିନ ପ୍ରକାଶିତ ହୋଇଥିବା ସମୁଦାୟ ଭୋଟ ଓ ଭୋଟ ଗଣତି ଦିନ ଜଣା ପଡ଼ିଥିବା ସମୁଦାୟ ଭୋଟର ପାର୍ଥକ୍ୟ ପାଞ୍ଚ କୋଟିରୁ ଅଧିକ ରହିଛି । ସମୁଦାୟ ଭୋଟରେ ଏତେ ବଡ଼ ବ୍ୟବଧାନ ନିଶ୍ଚିତ ଭାବେ ଏକ ବଡ଼ ବ୍ୟତିକ୍ରମ ଓ ଆମ ସାମ୍ୱିଧାନିକ ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନବାଚୀ । ଏହି ରିପୋର୍ଟ ଅନୁଯାୟୀ, ନିର୍ବାଚନ ହୋଇଥିବା ୫୪୧ ସିଟ୍ ମଧ୍ୟରୁ ୫୩୮ଟି ସିଟ୍‌ରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଅନୁନ୍ୟ ୭୯ଟି ଏମ୍‌ପି ଆସନରେ ଏହି ବ୍ୟତିକ୍ରମ କାରଣରୁ ବିଜେପିର ବିଜୟ ପାଇଁ ସହାୟକ ହୋଇଛି । ସେହିପରି ଓଡ଼ିଶାର ୧୮ଟି ଲୋକସଭା ଆସନରେ ମଧ୍ୟ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ ।

ସେ ଆହୁରି କହିଥିଲେ, ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଆମ ଦେଶର ସାମ୍ୱିଧାନିକ ବ୍ୟବସ୍ଥା ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ନିର୍ବାଚନ କମିସନର ଇଭିଏମର ସ୍ୱଚ୍ଛତା ଉପରେ ବାରମ୍ୱାର ଦୃଢୋକ୍ତି ପ୍ରକାଶ କରିଛନ୍ତି, ଏହି ରିପୋର୍ଟ ଜନସାଧାରଣଙ୍କ ମନରେ ଇଭିଏମର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ରଖିବା ପାଇଁ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି ।