ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

ଏକ ସମୀକ୍ଷା ବୈଠକ ପରେ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଅଗଷ୍ଟ ୧୬ରୁ ଆରମ୍ଭ ହେବ ସର୍ଭେ

ଭୁବନେଶ୍ବର, ୧୦/୮: ରାଜ୍ୟର ଘରଡିହ ନଥିବା ପରିବାରକୁ ମିଳିବ ଘରଡିହ ପଟ୍ଟା। ଡିସେମ୍ବର ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀ ପାଇବେ ଘରଡିହ ପଟ୍ଟା। ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏ ନେଇ ସର୍ବେକ୍ଷଣ କାର୍ଯ୍ୟ ହେବ। ସର୍ଭେ ପରେ ଯୋଗ୍ୟ ପରିବାରକୁ ଚିହ୍ନଟ କରି ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

୨୦୧୮ ମସିହା ସର୍ଭେର ବଳକା ଘରଡିହ ଶୂନ୍ୟ ପରିବାରକୁ ତୁରନ୍ତ ଘରଡିହ ପଟ୍ଟା ଦିଆଯିବ। ସେହିପରି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଦଖଲରେ ଥିବା ସରକାରୀ ଜମିକୁ ସେମାନଙ୍କ ନାମରେ ରେକର୍ଡ କରିବାକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସର୍ଭେ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତୁରନ୍ତ ଗଣନା କରି ଡିସେମ୍ବର ୩୧ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।