ସ୍କୁଲରେ ‘ଗୁଡ୍ ମର୍ଣ୍ଣିଂ’ ବଦଳରେ ‘ଜୟ ହିନ୍ଦ’ କହିବେ ପିଲା

ହରିୟାଣା ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦେଶ ପ୍ରେମ ଓ ଜାତୀୟ ଗୌରବ ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିୟମ ଆଣିଛି।

ଅଗଷ୍ଟ ୧୫ରୁ ହେବ ଲାଗୁ

ନୂଆଦିଲ୍ଲୀ, ୧୦/୮: ସ୍କୁଲ ଛାତ୍ରଛାତ୍ରୀ ହୁଅନ୍ତୁ କି ଯେ କୌଣସି ବ୍ୟକ୍ତି ସକାଳ ହେଲା ମାତ୍ରେ ‘ଗୁଡ ମର୍ଣ୍ଣିଂ’ ବୋଲି କହିଥାନ୍ତି। ‘ଗୁଡ ମର୍ଣ୍ଣିଂ’ରୁ ଆରମ୍ଭ ହୁଏ ଦିନ। ହେଲେ, ଏଥର ସ୍କୁଲରେ ‘ଗୁଡ ମର୍ଣ୍ଣିଂ’ କହିବେନି ଛାତ୍ରଛାତ୍ରୀ। ଗୁଡ ମର୍ଣ୍ଣିଂ ବଦଳରେ କହିବେ ‘ଜୟ ହିନ୍ଦ’। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ହରିୟାଣା ସରକାର।

ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରୁ ଏହି ନିୟମ ଲାଗୁ ହେବ। ହରିୟାଣା ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ଏକ ଆଡଭାଇଜରୀ ଜାରି କରି ସ୍କୁଲଗୁଡ଼ିକୁ ସ୍ୱାଧୀନତା ଦିବସରୁ ଦୈନିକ ଶୁଭେଚ୍ଛା ‘ଗୁଡ ମର୍ଣ୍ଣିଂ’ ବଦଳରେ ‘ଜୟ ହିନ୍ଦ’ କହିବାକୁ ନିର୍ଦ୍ଦେଶ ଦେଇଛି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଗୌରବ ବଢ଼ାଇବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ପଠାଯାଇଥିଲା। ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ‘ଜୟ ହିନ୍ଦ’ର ବ୍ୟବହାର କରାଯିବା ଉଚିତ ବୋଲି ବିଭାଗ ଗୁରୁତ୍ୱାରୋପ କରିଛି।

ବିଭାଗ କହିଛି ଯେ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ “ଜୟ ହିନ୍ଦ” ପରବର୍ତ୍ତୀ ସମୟରେ ଭାରତର ସଶସ୍ତ୍ର ବାହିନୀ ଦ୍ୱାରା ଗ୍ରହଣ କରାଯାଇଥିଲା। ଜାତୀୟ ଏକତା ଭାବନା, ଭାରତର ଇତିହାସ ପ୍ରତି ସମ୍ମାନ ଦେବା ମୁଖ୍ୟ ଉଦ୍ଦେଶ୍ୟ।