ରାଷ୍ଟ୍ରପତିଙ୍କୁ ତିମୋର ଲେସ୍ତେର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ-କଲାର ଅଫ୍ ଦି ଅର୍ଡର’

ତିମୋର ଲେସ୍ତେର ରାଷ୍ଟ୍ରପତି ଜୋସ ରାମୋସ୍-ହୋର୍ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ତିମୋର ଲେସ୍ତେ ଗସ୍ତ କଲେ ମୁର୍ମୁ

ନୂଆଦିଲ୍ଲୀ, ୧୦/୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ତିମୁର ଲେସ୍ତେ ଗସ୍ତରେ ଅଛନ୍ତି। ଶନିବାର ପୂର୍ବ ତିମୋର ବା ତିମୋର ଲେସ୍ତେର ରାଜଧାନୀ ଡିଲିରେ ଯାଇ ପହଞ୍ଚିଛନ୍ତି। ସେଠାରେ ବିମାନବନ୍ଦରରେ ରାଷ୍ଟ୍ରପତି ରାମୋସ୍-ହୋର୍ତା ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ରାଷ୍ଟ୍ରପତି ମୁର୍ମୁ ଭାରତରୁ ପ୍ରଥମ ଥର ପାଇଁ ତିମୋର-ଲେସ୍ତେ ଗସ୍ତରେ ଅଛନ୍ତି। ତିମୋର ଲେସ୍ତେକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ।

ଶନିବାର ତିମୋର ଲେସ୍ତେର ସର୍ବୋଚ୍ଚ ବେସାମରିକ ‘ଗ୍ରାଣ୍ଡ-କଲାର ଅଫ୍ ଦି ଅର୍ଡର’ ସମ୍ମାନରେ ସମ୍ମାନିତ କରାଯାଇଛି। ତିମୋର-ଲେସ୍ତେର ରାଷ୍ଟ୍ରପତି ଜୋସ୍ ରାମୋସ୍-ହୋର୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଜନସେବା ରେ ତାଙ୍କର ସଫଳତା ଏବଂ ଶିକ୍ଷା, ସମାଜ କଲ୍ୟାଣ ଏବଂ ମହିଳା ସଶକ୍ତୀକରଣ ପ୍ରତି ସମର୍ପଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏହି ସମ୍ମାନ ଭାରତ ଏବଂ ତିମୋର-ଲେସ୍ତେ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତିଫଳନ ବୋଲି ବ୍ୟାଖ୍ୟା କରିଛନ୍ତି।

ଜୋସ ରାମୋସ୍-ହୋର୍ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରି ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସୁଯୋଗ ଉପରେ ଆଲୋଚନା କରିଛନ୍ତି। ଏହି ଗସ୍ତ ସମୟରେ ତିମୋର-ଲେସ୍ତେର ପ୍ରଧାନମନ୍ତ୍ରୀ ଜାନାନା ଗୁସମାଓଙ୍କ ସହ ମଧ୍ୟ ବୈଠକ ହେବ।

ତିମୋର-ଲେସ୍ତେ ହେଉଛି ଏକ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର। ଏହା ୨୦୦୨ ମସିହାରେ ଇଣ୍ଡୋନେସିଆଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଦେଶ ଭାବେ ଗଢି ଉଠିଥିଲା। ଏହି ଦେଶ ସ୍ଥାପିତ ହେବା ପରଠାରୁ କୌଣସି ଭାରତୀୟ ରାଷ୍ଟ୍ରାଧ୍ୟକ୍ଷଙ୍କ ଏହା ପ୍ରଥମ ତିମୋର-ଲେସ୍ତେ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଦ୍ୱାରା ତିମୋର-ଲେସ୍ତେ ସହ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଗଭୀର ହେବାର ସମ୍ଭାବନା ରହିଛି।