ମୃତ୍ୟୁର ବିଭୀଷିକା: ଗାଜା ଉପରେ ଇସ୍ରାଏଲର ଘନଘନ ରକେଟ ମାଡ

ଗାଜା ସହରରେ ଆକ୍ରମଣ ହୋଇଥିବାର ବେସାମରିକ ପ୍ରତିରକ୍ଷା ମୁଖପାତ୍ର ମହମ୍ମଦ ବସାଲ ଓ ଇସ୍ରାଏଲ ସେନା କହିଛନ୍ତି।

୧୦୦ରୁ ଉର୍ଦ୍ଧ୍ଵ ମୃତ, ଅନେକ ଆହତ

ଗାଜା, ୧୦/୮: ଇସ୍ରାଏଲ ଓ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ। ୧୦ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ଆହୁରି ଭୟଙ୍କର ରୂପ ନେଉଛି। ଏବେ ସୁଦ୍ଧା ଇସ୍ରାଏଲର ଆକ୍ରମଣରେ ୪୦ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ଆଜି ମଧ୍ୟ ପୂର୍ବ ଗାଜା ପଟିର ଏକ ସ୍କୁଲ ଉପରେ ଇସ୍ରାଏଲ ରକେଟ ଆକ୍ରମଣ କରିବା ଫଳରେ ୧୦୦ରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। ତେବେ ଏଥିରେ ହମାସ କମାଣ୍ଡର ମଧ୍ୟ ପ୍ରାଣ ହରାଇଛି। ଗାଜା ସହରରେ ଆକ୍ରମଣ ହୋଇଥିବାର ବେସାମରିକ ପ୍ରତିରକ୍ଷା ମୁଖପାତ୍ର ମହମ୍ମଦ ବସାଲ ଓ ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ମିଳିଛି।

ପୂର୍ବ ଗାଜାର ଦରାର ଜିଲ୍ଲାରେ ଥିବା ତାବିନ୍ ସ୍କୁଲ କମ୍ପ୍ଲେକ୍ସ ପରିସରରେ ରହୁଥିବା ବିସ୍ଥାପିତ ପରିବାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବିସ୍ଥାପିତ ରହୁଥିବା ଖବରକୁ ଇସ୍ରାଏଲ ଖଣ୍ଡନ କରିଛି। ଇସ୍ରାଏଲ ସେନା କହିଛି ଯେ ସେମାନେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି। ସେଠାରେ ବିସ୍ଥାପିତ ରହୁନଥିଲେ ବରଂ ହମାସ ଆତଙ୍କବାଦୀମାନେ ଲୁଚି ରହିଥିଲେ।

ବିସ୍ଥାପିତମାନେ ପ୍ରାର୍ଥନା କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ବିସ୍ଥାପିତମାନେ ନମାଜ ପାଠ କରୁଥିବା ବେଳେ ଘନଘନ ରକେଟ ମାଡ କରୁଥିଲା ଇସ୍ରାଏଲ। ସେପଟେ ଇସ୍ରାଏଲର ଆକ୍ରମଣକୁ ଆମେରିକା ସମର୍ଥନ କରିଛି। ଇସ୍ରାଏଲ ବାରମ୍ବାର ଦାବି କରୁଛି ଯେ, ଗାଜାରେ ଥିବା ସ୍କୁଲ ଓ ହସ୍ପିଟାଲରେ ହମାସ ଆତଙ୍କବାଦୀମାନେ ନିଜକୁ ସୁରକ୍ଷିତ ମଣୁଥିବାରୁ ସେମାନେ ସେଠାରେ ଲୁଚି ରହୁଛନ୍ତି।

ପାଖାପାଖି ୩୫୦ ପରିବାର ଏହି ସ୍କୁଲ ପରିସରରେ ଆଶ୍ରୟ ନେଇଥିଲେ ବୋଲି ବସାଲ କହିଛନ୍ତି। ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ହଜାର ହଜାର ପାଲେଷ୍ଟାଇନୀ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିଲେ। ତେଣୁ ଏଠାରେ ସେମାନେ ଶରଣ ନେଇଥିଲେ। ସ୍କୁଲ କମ୍ପ୍ଲେକ୍ସର ମସଜିଦ ଭାବେ ବ୍ୟବହୃତ ହେଉଥିବା ଉପର ମହଲା ଓ ତଳ ମହଲା ମଧ୍ୟ ଉଭୟ କ୍ଷତିଗ୍ରସ୍ତ ହୋଇଛି।