ବେଆଇନ ଗୋରୁ ଚାଲାଣବେଳେ ପୋଲିସ, ଗୋରୁ ମାଫିଆଙ୍କ ମଧ୍ୟରେ ଗୁଳି ବିନିମୟ

ଜଣେ ଗୋରୁ ତସ୍କର ଗୁରୁତର ଓ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

୨ ପିସ୍ତଲ, ୪ ଗାଡି ଜବତ; ୫ ଗିରଫ

କେନ୍ଦୁଝର, ୧୧/୮: ଆଜି ସକାଳ ସମୟରେ ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଗୋରୁ ତସ୍କର ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଆଜି ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ ହରିଚନ୍ଦନପୁର ଥାନା କୁଲାଢାଙ୍କୁଣି ନିକଟରେ ଗୋରୁ ବୋଝେଇ ଗାଡି ଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗୋ ଚାଲାଣକାରୀ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ।ପୋଲିସ ବାଧ୍ୟ ହୋଇ ନିଜର ଜୀବନ ରକ୍ଷା କରିବାକୁ ତସ୍କରଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଆରିକ ଖାଁ ନାମକ ଗୋଚାଣକାରୀର ଦୁଇଟି ଗୋଡରେ ଦୁଇଟି ଗୁଳି ବାଜି ଥିଲା। ଅପର ପକ୍ଷରେ ଗୋ ଚାଲାଣକାରୀଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି। ଗୁରୁତର ଗୋ ଚାଲାଣକାରୀକୁ ପୋଲିସ ପ୍ରଥମେ ଆଣି ହରିଚନ୍ଦନପୁର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ପୋଲିସ ଏଥିରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ ଗୋଟି ପିସ୍ତଲ ଜବତ ହୋଇଛି। ଏଥି ସହିତ ଏହି ମାମଲାରେ ଜଡିତ ୩ଟି ଗୋରୁ ବୋଝେଇ ପିକଅପ ସହ ଏମାନଙ୍କୁ ସୁରକ୍ଷା ଦେଇ ନେଉଥିବା ଏକ ଏସୟୁଭି କାର ସହ ୪ଟି ଗାଡ଼ି ଓ ୨୫ଟି ଗୋରୁକୁ ପୋଲିସ ଜବତ କରିଛି। ଏଥି ସହିତ ପୋଲିସ ହରିଚନ୍ଦନପୁର ଏବଂ ପଣ୍ଡାପଡା ଥାନାରେ ୨ ଗୋଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଏସପି ଦିଲ୍ଲୀପ କୁମାର ନାଏକ ସୂଚନା ଦେଇଛନ୍ତି। ଗୁଳିବାଜିଥିବା ଗୋ ଚାଲାଣକାରୀ ଜଣଙ୍କ ଘଟଗାଁ ଥାନା ସାନ୍ତରାପୁର ଅଞ୍ଚଳର ଏବଂ ତା ନାଁରେ ଆଗରୁ ଅନେକ ଅପରାଧିକ ମାମଲା ରହିଥିବା ଏସପି କହିଛନ୍ତି।